

ସତ୍ୟଶିଖା(ଜଳେଶ୍ଵର ) ୨୦ .୦୧.୨୦୨୨ : ବାଲେଶ୍ବର ଜିଲ୍ଲାର ଜଳେଶ୍ଵର କୋର୍ଟରେ କାର୍ଯ୍ୟରତ ୧୪ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ ଗତ ସପ୍ତାହ ମଧ୍ୟରେ କୋର୍ଟକୁ ଯାଇଥିବା ଅନ୍ୟ ସମସ୍ତ କର୍ମଚାରୀ, ଆଇନଜୀବୀ ଓ ସାଧାରଣ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କର୍ମଚାରୀମାନେ କୋଭିଡ ପଜିଟିଭ ବୋଲି ଜଣାପଡ଼ିବା ପରେ ଗତକାଲିଠାରୁ ଆଇନଜୀବୀମାନେ କୋର୍ଟକୁ କାମ କରିବାକୁ ଯିବେନି ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ଓକିଲ ସଙ୍ଘର ସଭାପତି ଅନିଲ କୁମାର ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅବିଳମ୍ବେ ପ୍ରଶାସନ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁ ବୋଲି ଓକିଲ ସଙ୍ଘର ପ୍ରାକ୍ତନ ସଭାପତି କୁଞ୍ଜ ବିହାରୀ ଦାସ ଦାବି କରିଛନ୍ତି। ଏଣେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୯୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲାରୁ ୩୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।