ନ୍ୟୁଜ୍ରାଜ୍ୟ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ନାଟ୍ୟଗୁରୁ ହରିହର ମିଶ୍ରଙ୍କ ପରଲୋକ

ସତ୍ୟଶିଖା( ବରଗଡ଼ )୧୨.୦୨.୨୦୨୨ : ନାଟ୍ୟ ଗୁରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଶନିବାର ଭୋର୍ ୩ଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଭୋର୍‌ରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ସ୍ଥାନୀୟ କଲେଜ୍‌ ରୋଡ୍‌ କଂସ ଗଳିସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ କୁନ୍ତଳା, ପାଞ୍ଚ ଝିଅ ଓ ଜ୍ବାଇଁଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ମିଶ୍ର ପେଶାରେ ଜଣେ ଆଇନଜୀବୀ ଥିଲେ। କିନ୍ତୁ ଜୀବନବ୍ୟାପୀ ନାଟକ ତାଙ୍କ ନିଶା ଥିଲା। ୧୯୪୬ ମସିହା ଏପ୍ରିଲ ୧ ତାରିଖରେ ବରଗଡ଼ରେ ଜନ୍ମିତ ହରିହର ମିଶ୍ର ୨ଶହରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ସେ ଓଡ଼ିଶୀ, ଚମ୍ପୁ, ଛାନ୍ଦ, ଭଜନ ଗାୟନରେ ମଧ୍ୟ ସିଦ୍ଧହସ୍ତ ଥିଲେ। ୨୦୨୧ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା। ଏହାବାଦ୍‌ ସେ ଜୀବନକାଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

Show More
Back to top button