

ସତ୍ୟଶିଖା ୨୦/୦୧/୨୦୨୧ : ଗଞ୍ଜାମରେ ଛତୁ ଫୁଟିଲା ଭଳି ଖୋଲିଛି ପାଣି ବୋତଲ କାରଖାନା । ସେଥିରୁ ଅଧିକାଂଶ କାରଖାନାର ଲାଇସେନ୍ସ ନାହିଁ। ନୂଆ ନୂଆ ବ୍ରାଣ୍ଡ ନାଁ ଦେଇ ସେଥିରେ ମନଇଚ୍ଛା ଆଇଏସଆଇ ନମ୍ବର ପକାଇ ଗ୍ରାହକଙ୍କୁ ଭ୍ରମିତ କରାଯାଉଛି । ଏପଟେ ଟଙ୍କା ଦେଇ ଲୋକେ ଅସ୍ଵାସ୍ଥକର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗତକାଲି ବ୍ରହ୍ମପୁର ସହର ଏବଂ ଉପକଣ୍ଠରେ ୫ ଟି ନକଲି ପାଣି କାରଖାନା ଉପରେ ଚଢଉ କରାଯିବା ପରେ ଗଞ୍ଜାମରେ ମାଳ ମାଳ ନକଲି ପାଣି କାରଖାନା ରହିଛି । ଗଞ୍ଜାମର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୪୦ ରୁ ଉର୍ଦ୍ଧ୍ବ ବ୍ରାଣ୍ଡର ପାଣି ବୋତଲ ବିକ୍ରି ହେଉଛି । ୫ ଟଙ୍କା, ୧୦ ଟଙ୍କା, ୧୫ ଟଙ୍କା ଓ ୨୦ ଟଙ୍କାରେ ଏହି ସବୁ ବ୍ରାଣ୍ଡର ପାଣି ବୋତଲ ବିକ୍ରି କରାଯାଉଛି । ଅନେକ ସୟମରେ ନୂଆ ନୂଆ ବ୍ରାଣ୍ଡର ପାଣି ବୋତଲ ବଜାରକୁ ପ୍ରବେଶ କରୁଛି । ଆଉ ସବୁଥିରେ ଆଇଏସଆଇ ମାର୍କ ରହୁଛି, ବିଏଆଇସ(ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାଡର୍ସ) ସାର୍ଟଫାଏଡ୍ ବୋଲି ବୋଲି ଉଲ୍ଲେଖ ରହୁଛି । ଫଳରେ ସାଧାରଣ ଗ୍ରାହକ ସବୁ ପାଣି କମ୍ପାନୀ ତଥା ବ୍ରାଣ୍ଡକୁ ଅସଲି ବୋଲି ଭାବୁଛନ୍ତି ।
ଗଞ୍ଜାମ ଜିଲାରେ ମାତ୍ର ୧୬ଟି ହିଁ ଅସଲି ପାଣି ବୋତଲ କାରଖାନା ରହିଛି । ଆଉ ପାଖାପାଖି ୩୦ଟି ବ୍ରାଣ୍ଡ ପାଖରେ କୌଣସି ପ୍ରକାର ଲାଇସେନ୍ସ କିମ୍ବା ସାର୍ଟିଫିକେଟ ନାହିଁ । ଅର୍ଥାତ ସେଗୁଡ଼ିକ ସମ୍ପୂର୍ଣ୍ଣ ନକଲି । ଆଉ ଏହି ସବୁ ନକଲି କାରଖାନା ବ୍ରହ୍ମପୁର ସହର ସମେତ ଜାତୀୟ ରାଜପଥ ନିକଟ, ପାତ୍ରପୁର, ଭଞ୍ଜନଗର, ବୁଗୁଡା, ଛତ୍ରପୁର ଭଳି ବ୍ଳକରେ ରହିଛି । କିଛି ଅସାଧୁ ବ୍ୟବସାୟୀ ସହରଠୁ ଦୂରରେ କାରଖାନା ଖୋଲି ନକଲି ପାଣି ବୋତଲ ତିଆରି କରୁଥିବା ବେଳେ କିଛି ଜଣ ଘର ଭିତରେ ମଧ୍ୟ କାରଖାନା ଖୋଲି ଦେଇଛନ୍ତି । ପାଣିକୁ ବିଶୋଧନ ନକରି କୂଅ ପାଣି, ପାଇପ ପାଣି ଭର୍ତ୍ତି କରି ସେଥିରେ ନିଜ ବ୍ରାଣ୍ଡର ଷ୍ଟିକର ମାରି ବଜାରକୁ ଛାଡୁଛନ୍ତି । ସେମାନେ ଦୋକାନୀଙ୍କୁ ଅଧିକ ମାର୍ଜିନ ଦେଉଥିବାରୁ ଦୋକାନୀମାନେ ଲାଭ ଆଶାରେ ନକଲି ଅସଲି ନପରଖି ତାକୁ ବିକ୍ରି କରୁଛନ୍ତି । ଅସଲି ପାଣି କାରଖାନା ଖୋଲିଥିବା ମାଲିକମାନେ ପ୍ୟାକେଜିଂ ମେସିନ, ଲାଇସେନ୍ସ ପାଇବାକୁ, ନିୟମିତ ବ୍ୟବଧାନରେ ପଞ୍ଜୀକରଣ ଓ ପାଣି ନମୁନା ପରୀକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟବୟ କରୁଥିବା ବେଳେ ନକଲି ପାଣି କାରଖାନା ଖୋଲିଥିବା ମାଲିକମାନେ କିନ୍ତୁ ମନଇଚ୍ଛା ପାଣି ଭର୍ତ୍ତି କରି ଲାଭବାନ ହେଉଛନ୍ତି । ନକଲି ବ୍ରାଣ୍ଡ ପାଇଁ ଅସାଧୁ ବ୍ୟବସାୟୀମାନେ ବାହାର ରାଜ୍ୟରୁ ଷ୍ଟିକର ମଗାଉଥିବା ଶୁଣିବାକୁ ମିଳୁଛି । ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଚଢଉ କରାଯିବାର ଆବଶ୍ୟକତା ରହିଛି ।