ବିହାର ବିଧାନସଭାରେ ବିରୋଧି ଦଳଙ୍କ ତାଣ୍ଡବ,ପିଟିପକାଇଲେ ପୋଲିସ

ସତ୍ୟଶିଖା,(ପାଟନା) ୨୪ .୦୩ .୨୦୨୧ : :ମଙ୍ଗଳବାର ଦିନ ବିହାର ବିଧାନସଭାରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର । ବିହାର ସ୍ୱତନ୍ତ୍ର ପୋଲିସ ବିଧେୟକକୁ ନେଇ ବିଧାନସଭା ପରିସରରେ ହୋଇଛି ହଙ୍ଗାମା । ସଦନ ଭିତରେ ବିହାର ପୋଲିସ ଆରଜେଡି ବିଧାୟକ ସତୀସ୍ କୁମାରଙ୍କୁ ପ୍ରବଳ ପିଟିଛି । ଏହାପରେ ବିଧାନସଭା ପରିସରରୁ ବିଧାୟକଙ୍କୁ ଷ୍ଟ୍ରେଚର ମାଧ୍ୟମରେ ମେଡିକାଲ ନିଆଯାଉଥିବା ଦେଖିବାକୁ ମିଳିଥିଲା । ସତୀସଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ସେ କହିଥିଲେ କି ‘ଦେଖନ୍ତୁ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜଣେ ବିଧାୟକକୁ ନିତୀଶ ସରକାରର ପୋଲିସ ମାନେ କିଭଳି ବ୍ୟବହାର କରୁଛନ୍ତି ।’ କେବଳ ସେତିକି ନୁହେଁ ଜଣେ ମହିଳା ବିଧାୟକଙ୍କୁ ବି ମହିଳା ପୋଲିସ ମାନେ ଘୋଷାଡି ଘୋଷାଡି ବିଧାନସଭା ବାହାରକୁ ନେଉଥିବାର ଦୃଶ୍ୟ ଗଣତନ୍ତ୍ର ପ୍ରତି ଶକ୍ତ ଅପମାନ ବୋଲି କୁହାଯାଇପାରେ ! କହିରଖୁ କି ବିହାର ବିଧାସଭାରେ ବିହାର ପୋଲିସ ବିଧେୟକକୁ ନେଇ ବିରୋଧୀ ଆରଜେଡି, ବାମଦଳ ଓ କଂଗ୍ରେସ ମେଣ୍ଟର ବିଧାୟକ ମାନେ ବିରୋଧ କରିଥିଲେ । ଏହାକୁ ନେଇ ବିଧାନସଭା ପରିସରରେ ବିରୋଧୀ ବିଧାୟକ ମାନେ ହଙ୍ଗାମା କରିଥିଲେ । ଏହାକୁ ନେଇ ବାଚସ୍ପତି ଗୃହକୁ ୫ ଥର ମୁଲତବି କରିଥିଲେ । ସେମାନଙ୍କୁ ଶାନ୍ତ କରିବା ଓ ଆଲୋଚନା କରିବାକୁ ବାଚସ୍ପତି ପ୍ରସ୍ତାବ ଦେଇଥିଲେ ବି ସେମାନେ ସେମାନଙ୍କ ଜିଦରେ ଅଟଳ ରହିଥିଲେ । ଏହାକୁ ନେଇ ଶାସକ ଦଳର ବିଧାୟକ ଓ ବିରୋଧୀ ବିଧାୟକ ମାନଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ଉଭୟ ଉଭୟଙ୍କୁ ଲାତ, ଗୋଇଠା ଚାପୁଡା ମାରିବା ଭଳି ସ୍ଥିତି ଦେଖା ଦେଇଥିଲା । ଏମାନଙ୍କୁ ଅଟକାଇବାକୁ ଯାଇ ପୋଲିସ ପିଟିବା ଆରମ୍ଭ କରିଥିଲା । ଏଥିରେ ଆରଜେଡି ବିଧାୟକ ସତୀସ୍ କୁମାର ଆହତ ହୋଇଥିଲେ । ଅନ୍ୟପଟେ ଜଣେ ବିରୋଧୀ ମହିଳା ବିଧାୟକଙ୍କୁ ମହିଳା ପୋଲିସ ମାନେ ବିଧାନ ସଭା ବାହାରକୁ ଘୋଷାଡି ଘୋଷାଡି ଆଣୁଥିବାର ଦୃଶ୍ୟ ବେସ୍ ରୋଚକ ଥିଲା ।

Exit mobile version