ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ .୨୦୨୧: ନାଁ ସ୍ମାର୍ଟସିଟି, ରାଜ୍ୟର ରାଜଧାନୀ । କିନ୍ତୁ ଏଠି ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍ । ଅସରାଏ ବର୍ଷା ହେଲେ ରାସ୍ତା ଓ ଡ୍ରେନ୍ ଏକାକାର ହୋଇଯାଉଛି । ଟିକେ ଅଧିକ ବର୍ଷା ହେଲେ ରାସ୍ତାରେ ସୁଅ ଛୁଟୁଛି ଓ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା। ମୁକୁଳା ଡ୍ରେନ୍ରେ ପାଣି ଭଉଁରି ଖେଳୁଛି ଓ ପ୍ରଖର ସ୍ରୋତ ପଥଚାରୀକୁ ରାସ୍ତାରୁ ଟାଣି ନେଉଛି। ରାଜଧାନୀରେ ଏଭଳି ମରଣଯନ୍ତା ଅନେକ ସ୍ଥାନରେ ଆଁ କରି ବସିଛି । ଗତ ୬ ବର୍ଷ ଭିତରେ ୬ରୁ ଅଧିକ ଜୀବନ ଗଲାଣି ମୁକୁଳା ଡ୍ରେନ୍ରେ । ଅଥଚ ରାଜଧାନୀ ପ୍ରଶାସନ ଚେତୁନାହିଁ ବୋଲି ଅଭିଯୋଗ ହୋଇଆସୁଛି । ବିଏମ୍ସି, ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥର ମୁକୁଳା ଡ୍ରେନ୍ ସବୁ ଏମିତି ମୃତ୍ୟୁର ଫାଶ ହୋଇଥିଲେ ବି କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।
– ବିଏମସିର ଅବହେଳା ଯୋଗୁଁ ଗତ ୬ ବର୍ଷରେ ଗଲାଣି ୬ରୁ ଅଧିକ ଜୀବନ
– ୧୫ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଶିରିପୁର ଶତାବ୍ଦିନଗର ବ୍ୟାଙ୍କ କଲୋନୀ ଅଂଚଳରେ ନାଳରେ ଭାସି ମୃତ୍ୟୁବରଣ କରିଛନ୍ତି
– ଗତବର୍ଷ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିଥିଲେ
– ୨୦୧୮ ଅଗଷ୍ଟରେ ରାସ୍ତା ପାର ହେଲାବେଳେ ୟୁନିଟ-୪ ପିଚୁପଡିଆ ବସ୍ତିର ହରି ପଟ୍ଟନାୟକଙ୍କ ଡ୍ରେନରେ ଖସିପଡି ମୃତ୍ୟୁ ହୋଇଥିଲା
– ୨୦୧୭ ମୌସୁମୀ ବର୍ଷା ସମୟରେ ପଟିଆ-ଚନ୍ଦ୍ରଶେଖରପୁର ଅଂଚଳରେ ମଧ୍ୟ ୨ ଜଣ ଡ୍ରେନରେ ଭାସି ଯାଇଥିଲେ
– ନୟାପଲ୍ଲି ଥାନା ମୁମତାଜ ଅଲ୍ଲି ହାଇସ୍କୁଲ ନିକଟରେ ୨୦୧୫ରେ ଜଣେ ୯ ବର୍ଷର ବାଳକ ମୁକୁଳା ଡ୍ରେନରେ ଭାସି ପ୍ରାଣ ହରାଇଥିଲା
ସହର ଭିତରେ ପ୍ରମୁଖ ରାସ୍ତା କଡ଼ରେ ଥିବା ସର୍ବାଧିକ ବଡ଼ ବଡ଼ ଡ୍ରେନ୍ ପୂର୍ତ୍ତ ବିଭାଗର । ବିଏମ୍ସି ଡ୍ରେନ୍ଠାରୁ ଏହାର ଗଭୀରତା ଓ ଓସାର ଅଧିକ । ଏଣୁ ପାଣି ଭର୍ତ୍ତି ଏହି ଡ୍ରେନ୍ରେ ପଡ଼ିଲେ ମୃତ୍ୟୁ ସୁନିଶ୍ଚିତ। ରାଜଧାନୀରେ ପୂର୍ତ୍ତ ବିଭାଗର ପାଖାପାଖି ୬ଶହ କିଲୋମିଟର ଲମ୍ବର ଡ୍ରେନ୍ ରହିଛି। ସେଥିମଧ୍ୟରୁ ଅର୍ଦ୍ଧାଧିକ ଡ୍ରେନ୍ ଭୟଙ୍କର ଅବସ୍ଥାରେ ମୁକୁଳା ପଡ଼ିଛି। ବିଏମ୍ସିର ପାଖାପାଖି ୬୦୦ କିଲୋମିଟର ଡ୍ରେନ୍ ରହିଛି । ସେଥିରୁ ମଧ୍ୟ ଅଧାରୁ ବେଶି ଡ୍ରେନ୍ ବିପଦଜନକ ଅବସ୍ଥାରେ ମୁକୁଳା ପଡ଼ିଛି । ଅନେକ ସମୟରେ ଡ୍ରେନ୍ ସଫା କରିବା ବେଳେ ସ୍ଲାବ୍ ଖୋଲାଯାଉଛି, କିନ୍ତୁ ପରେ ତାକୁ ଘୋଡ଼ାଉ ନାହାନ୍ତି । ଯଦି ସେହି ସମୟ ମଧ୍ୟରେ ବର୍ଷା ହେଉଛି, ତେବେ ଜୀବନ ଯାଉଛି। ଇଡ୍କୋ ଅଧୀନରେ ମଧ୍ୟ ୧୫ରୁ କିମିରୁ ଅଧିକ ଲମ୍ବର ଡ୍ରେନ୍ ରହିଛି । ଏଥିରେ ମଧ୍ୟ ଅର୍ଦ୍ଧାଧିକ ଖୋଲା ପଡ଼ିଛି । ସେହିଭଳି ଜାତୀୟ ରାଜପଥର ୫୦ କିଲୋମିଟର ଦୈର୍ଘ୍ୟର ଡ୍ରେନ୍ ରହିଛି। ତେବେ ଏଥିରେ ମାତ୍ର ୧୦ ପ୍ରତିଶତ ମୁକୁଳା ରହିଛି ।