

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ବର୍ତ୍ତମାନ ପ୍ରଚଳନରେ ଥିବା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର ହେବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ରିଜର୍ଭ ବ୍ୟାଙ୍କ ଟୁଇଟ୍ କରି ଜଣାଇଛି ଯେ କେତେକ ପୁରୁଣା ନୋଟ୍ ପ୍ରତ୍ୟାହାର ହେବ ବୋଲି ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ କୌଣସି ସତ୍ୟତା ନାହିଁ । କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କର ଏଜିଏମ୍ ବି ମହେଶଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ନୋଟ୍ ପ୍ରତ୍ୟାହାର ସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା । ଜିଲ୍ଲା ସ୍ତରୀୟ ସିକ୍ୟୁରିଟି କମିଟି (ଡିଏଲ୍ଏସ୍ସି) ଏବଂ ଜିଲ୍ଲାସ୍ତରୀୟ ମୁଦ୍ରା ପରିଚାଳନା କମିଟି (ଡିଏଲ୍ଏମ୍ସି) ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମହେଶ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ହଟାଇ ନିଆଯିବ । ତେଣୁ ଏହି ନୋଟ୍ଗୁଡ଼ିକ ପର୍ଯ୍ୟାୟକ୍ରମେ ବଜାରରୁ ଅଦୃଶ୍ୟ ହୋଇଯିବ । ଏହି ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍ ସ୍ଥାନରେ ନୂଆ ନୋଟ୍ ଆସିବ । ୨୦୧୯ ମସିହାରେ ଜାରି ହୋଇଥିବା ନୂଆ ୧୦୦ ଟଙ୍କିଆ ନୋଟ୍ର ରଙ୍ଗ ହାଲ୍କା ବାଇଗେଣି ହୋଇଥିବାବେଳେ ଏଥିରେ ଗୁଜରାଟର ପଟଣ ଜିଲ୍ଲାର ସରସ୍ଵତୀ ନଦୀକୂଳରେ ରହିଥିବା ଐତିହ୍ୟ ‘ରାଣୀ କୂପ’ର ଚିତ୍ର ରହିଛି ।