

ସତ୍ୟଶିଖା(ଭୁବନେଶ୍ୱର) ୨୨.୦୭.୨୦୨୧:ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୌମ୍ୟଙ୍କ ମୃତୁ୍ୟ ମାମଲାରେ ଆଉ ଏକ ହାତ ଲେଖା ଚିଠି ମିଳିଛି । ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରାଯାଉଛି । ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖାଯାଇଛି ।
ଉକ୍ତ ଚିଠିରେ ଲେଖାଯାଇଛି ଯେ…. ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ । ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି । କିଛି ବି କରି ପ୍ଲିଜ ଡିଭୋର୍ସ କରିଦିଅ ବୋଲି ଲେଖାଯାଇଛି । ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି ବୋଲି ଲେଖାଯାଇଛି । ଏତେ ଦୁଃଖରେ କହିଲି, ତଥାପି ମୋ ଆଖିରେ ଲୁହ ଦେଖାଗଲାନି…. ।
ତେବେ ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ଘର ଭିତରେ ହିଁ ଘଟିଥିବା ଜଣାପଡ଼ିଛି । କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି । ତେବେ ମଶାରୀରେ ନିଆଁ ଲାଗିଛି । ପାରିପାଶ୍ୱିର୍କ ସ୍ଥିତି ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି ।
ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯିବା ପାଇଁ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥୀ ନାୟକ ଦାବି କରିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁ । ପଚରାଉଚରା କଲେ ମାମଲାରେ ଡିଏଫଓଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିବ । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହିଁ । ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ଓକିଲ ପାର୍ଥସାରଥୀ ନାୟକ କହିଛନ୍ତି ।
ସେହିପରି ଆଉ କିଛି ସମୟ ପରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରାଯିବ । ପଚରାଉଚରା କରାଯିବା ନେଇ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏତଲାରେ ନାଁ ଥିବାରୁ ଡିଏଫଓଙ୍କୁ ପୁଲିସ ପଚରାଉଚରା କରିବ ।