ସତ୍ୟଶିଖା ୧୯/୦୧/୨୦୨୧ : ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି ଦେଖାଯିବ । ଆସନ୍ତାକାଲି ସକାଳୁ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ୨୦ ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ରାଜ୍ୟକୁ ପୂର୍ବା ଆର୍ଦ୍ର ପବନ ପ୍ରବାହ ବୃଦ୍ଧି ପାଇବାକୁ ଥିବାରୁ ରାଜ୍ୟର ତାପମାତ୍ରା ବଢ଼ିବ ଓ ଶୀତ କମିବ । କିନ୍ତୁ ଦୁଇ ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖାଯିବ । ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହୋଇଯିବ । ଫଳରେ ପୁଣି ଶୀତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତା ୨ ଦିନ ଘନ କୁହୁଡ଼ି ଘେରରେ ରହିବ ଓଡ଼ିଶା
