
ସତ୍ୟଶିଖା ୧୯/୦୧/୨୦୨୧ : ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି ଦେଖାଯିବ । ଆସନ୍ତାକାଲି ସକାଳୁ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ୨୦ ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ରାଜ୍ୟକୁ ପୂର୍ବା ଆର୍ଦ୍ର ପବନ ପ୍ରବାହ ବୃଦ୍ଧି ପାଇବାକୁ ଥିବାରୁ ରାଜ୍ୟର ତାପମାତ୍ରା ବଢ଼ିବ ଓ ଶୀତ କମିବ । କିନ୍ତୁ ଦୁଇ ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖାଯିବ । ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହୋଇଯିବ । ଫଳରେ ପୁଣି ଶୀତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ରାଜ୍ୟର କିଛି କିଛି ଅଞ୍ଚଳରେ ଦେଖାଯାଇଥିବା ବେଳେ କେତେକ ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ପଡ଼ିଥିଲା । ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲା ଓ ଉତ୍ତର ଓଡ଼ିଶାର ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଥିଲା । ରାଜ୍ୟର କିଛି କିଛି ଅଞ୍ଚଳର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ବୃଦ୍ଧି ବି ଘଟିଛି । ମୋଟ୍ ଉପରେ କହିବାକୁ ଗଲେ, ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏବେ ବୃଦ୍ଧି ପାଇଛି ।
ରାଜ୍ୟର ୮ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ ହୋଇଛି । ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରୀ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ ।