୧୬ ତାରିଖରୁ ଭିଜିବ ଓଡ଼ିଶା !

ସତ୍ୟଶିଖା (ଭୁବନେଶ୍ୱର) ୧୧.୧୧.୨୦୨୩ :  ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ । ଆସନ୍ତା ୧୪ରେ  ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି । ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ନଭେମ୍ବର ୧୫ ରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହାର ପରବର୍ତ୍ତୀ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଘୂର୍ଣ୍ଣିବଳୟ ଉତର ଦିଗ ଆଡ଼କୁ ମୁହାଁଉଥିବାରୁ ଉପକୂଳ ଓ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ନଭେମ୍ବର ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ନଭେମ୍ବର ୧୬ ରୁ ୧୮ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମଧରଣର ବର୍ଷା ହେବ । ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବାନେଇ ଆକଳନ କରାଯାଇଛି ।

ଅନ୍ୟପଟେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ବୃଦ୍ଧି ପାଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Exit mobile version