ନ୍ୟୁଜ୍ରାଜ୍ୟ

୨୮ରୁ ଓଡ଼ିଶା ଟ୍ରାଭେଲ୍‌ ବଜାର; ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା( ଭୁବନେଶ୍ୱର )୨୭.୧୦.୨୦୨୨:  ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପର୍ୟ୍ୟଟନର ପ୍ରଚାର ପ୍ରସାର ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରୁ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବ। ଓଡ଼ିଶା ପର୍ୟ୍ୟଟନ ବିଭାଗ ଓ ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି)ର ମିଳିତ ସହଯୋଗରେ ତିନି ଦିନ ଧରି ଭୁବନେଶ୍ବରରେ ଚାଲିବାକୁ ଥିବା ଏହି ଓଟିବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି କାର୍ୟ୍ୟକ୍ରମରେ ଘରୋଇ ଟୁର୍ ଅପରେଟର୍ସ(ଡିଟିଓଏସ୍‌) ଏବଂ ବିଦେଶୀ ଟୁର୍ ଅପରେଟର୍ସ(ଏଫ୍‌ଟିଓଏସ୍‌)ଙ୍କ ସହିତ ପର୍ୟ୍ୟଟନ ବିଭାଗ, ଓଡ଼ିଶାର ବିଭିନ୍ନ ଟୁର ଅପରେଟର, ହୋଟେଲିୟରଙ୍କ ମଧ୍ୟରେ ବି୨ବି ଓ ବି୨ଜି ବୈଠକ ହେବ। ଏଥିସହ ଓଡ଼ିଶାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀକୁ ପରିଚିତ କରିବା ପାଇଁ ପର୍ୟ୍ୟଟନ ସ୍ଥଳୀ ଭ୍ରମଣର ମଧ୍ୟ ବ୍ୟବସ୍ଥା ହୋଇଛି।

କାର୍ୟ୍ୟକ୍ରମ ଅବସରରେ ନିବେଶକ ଏବଂ ଏୟାରଲାଇନ୍ସ ଅପରେଟର୍ସ ସହିତ ବି୨ଜି ବୈଠକ କରିବାକୁ ମଧ୍ୟ ଯୋଜନା କରାଯାଇଛି। ଦେଶ ଓ ବିଦେଶର ବିକ୍ରେତାମାନେ ଏହି ୩ ଦିନିଆ ପ୍ରଦର୍ଶନୀରେ ସେମାନଙ୍କ ପର୍ୟ୍ୟଟନ ସମ୍ବନ୍ଧୀୟ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପାଇବେ, ଯାହାକି ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ ହେବ। ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ ଓ ଭିଏତନାମା ଭଳି ଦେଶରୁ ପ୍ରାୟ ୨୫ଟି ବିଦେଶୀ ଟୁର୍‌ ଅପରେଟର ଓଟିବିରେ ଅଂଶଗ୍ରହଣ କରିବେ। ସେହିପରି ଔରଙ୍ଗାବାଦ, ବେଙ୍ଗାଲୁରୁ, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ୍‌, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳାଗିରି, ମୁମ୍ବାଇ, ନାଗପୁର, ନାସିକ୍‌, ନୂଆଦିଲ୍ଲୀ, ପୁଣେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ଥିରୁଅନନ୍ତପୁରମ୍‌, ବାରାଣାସୀ ଏବଂ ବିଶାଖାପାଟଣା ଭଳି ସ୍ଥାନର ଟୁର ଅପରେଟରମାନେ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏନେଇ ହୋଟେଲ ମେ’ଫେୟାର ଲାଗୁନ୍‌ରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ରାଜ୍ୟର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡିଶାକୁ ବିଶ୍ୱ ମାନ୍ୟତାର ଏକ ବିବିଧ ପର୍ୟ୍ୟଟନ କ୍ଷେତ୍ର ଭାବେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଓଡ଼ିଶାକୁ ଦେଶୀ ଓ ବିଦେଶୀ ପର୍ୟ୍ୟଟକଙ୍କ ଆଗମନ ବଢାଇବା ପାଇଁ ବିଭାଗ ଦ୍ୱାରା ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ରାଜ୍ୟର ଅନ୍ୱେଷିତ ଗନ୍ତବ୍ୟ ସ୍ଥଳକୁ ଲୋକପ୍ରିୟ କରିବା ପାଇଁ ଭ୍ରମଣ ଓ ପର୍ୟ୍ୟଟନ ଶିଳ୍ପର ସକ୍ରିୟ ସହଭାଗିତାର ଆବଶ୍ୟକତା ରହିଛି ବୋଲି କହିଥିଲେ।

Show More
Back to top button