

ସତ୍ୟଶିଖା(ଭୁବନେଶ୍ୱର )୧୩ .୦୯ .୨୦୨୧: କରୋନା ମହାମାରୀ ପାଇଁ ନିର୍ଦ୍ଧିଷ୍ଟ ସମୟରେ ଅନୁଷ୍ଠିତ ହୋଇପାରିନଥିବା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ୮ମ ଟେଲିଭିଜନ ଆୱାର୍ଡ଼ ଚଳିତ ବର୍ଷ ଅନୁଷ୍ଠିତ ହେବ । ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜୁରୀ କମିିଟି ଗଠିତ ହୋଇଛି । ଏହି କମିଟି ୨୦୧୯ରେ ହୋଇଥିବା ଚଳଚ୍ଚିତ୍ର ତଥା ଟେଲି ଫିଲ୍ମ ଓ ଧାରାବାହିକ ମଧ୍ୟରୁ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରିବେ । ଓଡ଼ିଆ ଚଳଚ୍ଚିତ୍ରରେ ୨୫ଟି ବିଭାଗ ଏବଂ ଓଡ଼ିଶା ଟେଲି ପୁରସ୍କାର ବିଭାଗରେ ୨୦ଟି ବିଭାଗ ପାଇଁ ପୁରସ୍କାର ଦିଆଯିବ ।
ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଜୁରି: ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ନିୟମାବଳୀ ୨୦୧୦ ଅନୁଯାୟୀ ଚଳଚ୍ଚିତ୍ର ପାଇଁ ଗଠିତ ଜୁରୀ କମିଟିରେ ଅଧ୍ୟକ୍ଷଙ୍କୁ ଛାଡ଼ି ଅନ୍ୟ ୬ଜଣ ସଦସ୍ୟ ରହିବେ । ଚଳିତ ବର୍ଷ କିନ୍ତୁ ୫ଜଣ ସଦସ୍ୟ ରହିଛନ୍ତି । ବରିଷ୍ଠ କ୍ୟାମେରା ମ୍ୟାନ୍ ସୁରେନ୍ଦ୍ର ସାହୁ ଅଧ୍ୟକ୍ଷ ରହିଥିବାବେଳେ ବରିଷ୍ଠ ପ୍ରଶାସକ ତଥା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିରେ ୨ଥର ଅଧ୍ୟକ୍ଷ ଥିବା ଦେବଦାସ ଛୋଟରାୟ, ଅଭିନେତ୍ରୀ ତଥା କିସ୍ର ଅଧ୍ୟାପିକା ଥିବା ତ୍ରିପୁରା ମିଶ୍ର,ଦିଲ୍ଲୀରେ ଅବସ୍ଥାପିତ ଚଳଚ୍ଚିତ୍ର ମାର୍କେଟିଂ କରୁଥିବା ଜିତେନ୍ଦ୍ର ମିଶ୍ର, ବର୍ଷୀୟାନ ଗାୟକ ତଥା ଜୟଦେବ ପୁରସ୍କାରପ୍ରାପ୍ତ ପ୍ରଣବ ପଟ୍ଟନାୟକ ଏବଂ କଟକରୁ ପ୍ରକାଶିତ ସିନେମା ଚଳଚ୍ଚିତ୍ର ଜଗତର ମୁଦ୍ରାକର, ପ୍ରକାଶକ ତଥା ସଂପାଦକ ଆଦିକନ୍ଦ ରାଉତ ସଦସ୍ୟ ରହିଛନ୍ତି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି ଦେବଦାସ ଛୋଟରାୟ ଏହି କମିଟିର ଅନ୍ୟତମ ସଦସ୍ୟଭାବେ ଚୟନ ପ୍ରକ୍ରିୟାରେ ଭାଗ ନନେବା ପାଇଁ ଜଣାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ୩୧ ତମ ଚଳଚ୍ଚିତ୍ର ପୁରସ୍କାରରେ ଅନ୍ୟତମ ପ୍ରତିଯୋଗୀ ସବ୍ୟସାଚୀ ମହାପାତ୍ରଙ୍କ ‘ ଶଲା ବୁଢ଼ାର ବଦ୍ଲା’ ଥିବାରୁ ଚିତ୍ରର ବିଶ୍ୱବ୍ୟାପି ମାର୍କେଟିଂ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଜିତେନ୍ଦ୍ର ମିଶ୍ର ଜୁରି କମିଟିରେ ରହିବା ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଓଡ଼ିଶା ଟେଲି ପୁରସ୍କାର ଜୁରି: ଛୋଟ ପର୍ଦ୍ଦାର କଳାକାର ତଥା ଟେକ୍ନିସିଆନ୍ଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୩ରେ ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଆୟୋଜିତ ହୋଇ ଆସୁଛି । ଏଠି ମଧ୍ୟ ଅଧ୍ୟକ୍ଷଙ୍କ ସହ ୬ଜଣ ସଦସ୍ୟ ରହିବା ବ୍ୟବସ୍ଥା ଥିବାବେଳେ ଚଳିତ ବର୍ଷ ଅଧ୍ୟକ୍ଷଙ୍କ ସହ ମାତ୍ର ୪ଜଣ ସଦସ୍ୟ ରହିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଅତୀତର ଖ୍ୟାତନାମା ଅଭିନେତା ତଥା ଜୟଦେବ ପୁରସ୍କାରପ୍ରାପ୍ତ ଝରଣା ଦାସ କମିଟିର ଅଧ୍ୟକ୍ଷ ରହିଥିବାବେଳେ ଅନ୍ୟତମ ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ସଂପାଦକ ଗଦାଧର ସୁକୀ, ସଂଗୀତ ନିର୍ଦ୍ଦେଶକ ବିକାଶ ଦାଶ, ନିୟତ ପ୍ରଜ୍ଞା ତ୍ରିପାଠି ଏବଂ ବାଲେଶ୍ୱରରେ ଅବସ୍ଥାପିତ ସାମ୍ବାଦିକ ରମାକାନ୍ତ ଦାଶ ଜୁରି ସଦସ୍ୟ ଅଛନ୍ତି । ସୂଚନା ଅନୁଯାୟୀ ସଂଗୀତ ନିର୍ଦ୍ଦେଶକ ବିକାଶ ଦାଶ ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ ନାହିଁ ବୋଲି ଜଣାଇ ଦେବା ପରେ ଏହା ସଂସ୍କୃତି ବିଭାଗର କର୍ମକର୍ତାଙ୍କ ପାଇଁର୍ ଚିନ୍ତାର କାରଣ ହୋଇଛି ।
ସଂକଟ କାହିଁକି?
ଚୟନ କମିଟିରେ ୫୦ ପ୍ରତିଶତ ସଦସ୍ୟ ଉପସ୍ଥିତ ନରହିଲେ କୋରମ ରହିପାରିବ ନାହିଁ ବୋଲି ଉଭୟ ଚଳଚ୍ଚିତ୍ର ଓ ଟେଲି ଆୱାର୍ଡ଼ ନିୟମାବଳିରେ ଉଲ୍ଲେଖ ରହିଛି । ଚେୟାରମ୍ୟାନ୍ଙ୍କ ଭୋଟ କ୍ଷମତା ନଥିବାରୁ ଚଳଚ୍ଚିତ୍ର କମିଟିରେ ୪ଜଣ ସଦସ୍ୟ କିଭଳି ବିଭିନ୍ନ ବିଭାଗର ପ୍ରତିଯୋଗୀଙ୍କୁ ବାଛିବେ? ଠିକ୍ ସେହିପରି ଟେଲିଭିଜନ ପାଇଁ ଗଠିତ ଜୁରି କମିଟି ଅନ୍ୟତମ ସଦସ୍ୟ ବିକାଶ ଦାସଙ୍କ ଅନୁପସ୍ଥିତିରେ ନିୟମାବଳୀର ନିର୍ଦ୍ଧିଷ୍ଟ କୋରମ ରଖିବାରେ ଅସମର୍ଥ ହେବ । କୋରମ ଅଭାବରୁ ଜୁରିମାନଙ୍କ ପ୍ରତିଯୋଗୀ ଚୟନ ଆଇନ ଅନୁଯାୟୀ ସିଦ୍ଧ ହେବା ସମ୍ଭବ ନୁହେଁ । ଯଦି କୌଣସି ପ୍ରତିଯୋଗୀ ବିଚାରକ ମଣ୍ଡଳୀର ନିଷ୍ପତିରେ ଅସନ୍ତୁଷ୍ଟ ପ୍ରକାଶ କରି ଆଇନର ଆଶ୍ରୟ ନିଏ ତେବେ ସେ ଅତି ସହଜରେ ଜିତିଯିବାର ସମ୍ଭାବନା ରହିଛି ।