

ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟ ସରକାର କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି। ଏହା ସତ୍ତ୍ୱେ କମୁନି ପେଟର ଦୁଃଖ। ଏବେବି ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି ଗରିବ। ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ୯ମ ସ୍ଥାନରେ ଥିବା ବେଳେ ପ୍ରତି ତିନି ଜଣରେ ଜଣେ ଗରିବ ରହିଛନ୍ତି। ଅର୍ଥାତ୍ ରାଜ୍ୟର ୨୯.୩୫ ପ୍ରତିଶତ ଲୋକ ଗରିବ ରହିଥିବା ନୀତି ଆୟୋଗର ସଦ୍ୟତମ ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରୁ ଜଣାପଡ଼ିଛି।
ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ ଓଡ଼ିଶାର ୩ ପଛୁଆ ଜିଲ୍ଲା- ନରବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ସ୍ଥିତି ଆହୁରି ଖରାପ ରହିଛି। ନବରଙ୍ଗପୁରର ୫୯.୩୨% ଲୋକ ଗରିବ ହୋଇଥିବା ବେଳେ ମାଲକାନଗିରିର ୫୮.୭୧% ଓ କୋରାପୁଟର ୫୧.୧୪% ଲୋକଙ୍କ ଆର୍ଥିକ ଅବସ୍ଥା ଅତି ଦୟନୀୟ ରହିଛି। ପ୍ରଥମ ଥର ଲାଗି ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଦାରିଦ୍ର୍ୟ ରିପୋର୍ଟରେ କେବଳ କ୍ଷୁଧା ବା ଅନାହାରକୁ ମାନଦଣ୍ଡ ହିସାବରେ ନିଆଯାଇନି। ଗରିବର ସଂଜ୍ଞା ନିର୍ଦ୍ଧାରଣ ଲାଗି ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବିଜୁଳି ବ୍ୟବହାର, ସ୍ୱଚ୍ଛ ଇନ୍ଧନ ବ୍ୟବହାରକୁ ମଧ୍ୟ ବିଚାରକୁ ନିଆଯାଇଛି। ଓଡ଼ିଶାର ୧୬ଟି ଜିଲ୍ଲାର ଦାରିଦ୍ର୍ୟ ହାର ଜାତୀୟ ହାରଠାରୁ ଉପରେ ରହିଛି। ଏମିତିକି ଖଣିଜ ପଦାଥ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୧.୭୮ ପ୍ରତିଶତ ଲୋକ ଗରିବ।