

ସତ୍ୟଶିଖା(ଭୁବନେଶ୍ୱର ) ୨୮.୧୨.୨୦୨୧: ସାମଗ୍ରିକ ସ୍ୱାସ୍ଥ୍ୟସେବା ପ୍ରଦର୍ଶନରେ ଦେଶର ୧୯ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି । ୨୦୧୮-୧୯ରେ ତୃତୀୟ ରାଉଣ୍ଡରେ ଓଡ଼ିଶାର ସ୍ଥାନ ୧୨ରେ ଥିବାବେଳେ ୨୦୧୯-୨୦ ଚତୁର୍ଥ ରାଉଣ୍ଡରେ ଖରାପ ପ୍ରଦର୍ଶନ କରି ଆଉ ୨ଟି ସ୍ଥାନକୁ ଖସି ଆସିଛି ।
ନିତି ଆୟୋଗଙ୍କ ଦ୍ୱାରା ଜାରି ସାମଗ୍ରିକ ସ୍ୱାସ୍ଥ୍ୟ ଇଣ୍ଡେକ୍ସର ଚତୁର୍ଥ ରାଉଣ୍ଡ(୨୦୧୯-୨୦ ମସିହା) ରିପୋର୍ଟରେ ଓଡ଼ିଶା ଦେଶର ୧୯ଟି ବଡ଼ ରାଜ୍ୟ ମଧ୍ୟରେ ୧୪ତମ ସ୍ଥାନରେ ରହିଛି । ଓଡ଼ିଶାର ସାମଗ୍ରିକ ସ୍ୱାସ୍ଥ୍ୟ ଇଣ୍ଡେକ୍ସ ସ୍କୋର ୪୪.୩୧ ରହିଛି । ୨୦୧୮-୧୯ରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ଥିବାବେଳେ ସ୍କୋର ୪୪.୧୮ ଥିଲା । ସେହିପରି ପ୍ରଥମ ଦୁଇଟି ପର୍ଯ୍ୟାୟର ସ୍ୱାସ୍ଥ୍ୟ ଇଣ୍ଡେକ୍ସରେ ଓଡ଼ିଶା ୧୬ତମ(୨୦୧୭-୧୮) ଓ ୧୮ତମ (୨୦୧୫-୧୬) ସ୍ଥାନରେ ରହିଥିଲା ।
ଅନ୍ୟପକ୍ଷରେ କେରଳ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଇଣ୍ଡେକ୍ସରେ ଶୀର୍ଷରେ ରହିଛି । ଆଜି ପ୍ରକାଶିତ ଚତୁର୍ଥ ରାଉଣ୍ଡ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଇଣ୍ଡେକ୍ସରେ ଉତ୍ତରପ୍ରଦେଶ ସବୁଠୁ ନିମ୍ନରେ ଥିବାବେଳେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ପରେ ଓଡ଼ିଶା ରହିଛି । ତେବେ କେରଳ ଶୀର୍ଷରେ ଥିବାବେଳେ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼,ହରିଆଣା, ଆସାମ ଓ ଝାଡ଼ଖଣ୍ଡ କ୍ରମାନ୍ୱୟନରେ ୧ରୁ ୧୩ ପର୍ଯ୍ୟନ୍ତ ସ୍ଥାନରେ ରହିଛନ୍ତି । ଓଡ଼ିଶା ୧୪ତମ ସ୍ଥାନରେ ରହିଛି ।
ନିତି ଆୟୋଗଙ୍କ ଦ୍ୱାରା ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ୩ଭାଗରେ ବିଭକ୍ତ କରାଯାଇଛି । ଫ୍ରଣ୍ଟ ରନର୍ସ ରାଜ୍ୟ ତାଲିକାରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଥିବାବେଳେ ଆଚିର୍ଭସ ରାଜ୍ୟ ତାଲିକାରେ ଛତିଶଗଡ଼, ହରିଆଣା, ହିମାଚଳ ପ୍ରଦେଶ,କର୍ଣ୍ଣାଟକ, ଗୁଜୁରାଟ ଓ ପଞ୍ଜାବ ରହିଛି । ତେବେ ଯେଉଁ ରାଜ୍ୟଗୁଡ଼ିକର ପ୍ରଦର୍ଶନରେ କୌଣସି ସୁଧାର ଆସିନି ଓ ସେମାନେ ନିମ୍ନାଭିମୁଖୀ ହୋଇଛନ୍ତି ସେଥିରେ ଓଡ଼ିଶା, ବିହାର, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ଆସାମ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ରହିଛନ୍ତି ।