

ସତ୍ୟଶିଖା(ନୂଆଦିଲ୍ଲୀ) ୧୨.୦୪.୨୦୨୧: ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତରେ ଆଉ ୫ଟି କରୋନା ଟିକା ଉପଲବ୍ଧ ହେବ। ଥିବ ସେଗୁଡ଼ିକ ହେଲା ଋଷିଆର ସ୍ପୁଟନିକ ଟିକା, ଜନସନ ଏଣ୍ଡ ଜନସନର ଜେନିସିନ ଟିକା, ନୋଭାଭାକ୍ସ, ଜାଇଡସ କାର୍ଡିଲାର ଜାଇକୋଭ-ଡି ଓ ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ ଭାକ୍ସିନ (ନାକରେ ଦିଆଯାଉଥିବା ଟିକା)। ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ସ୍ପୁଟନିକ ଟିକାକୁ ଅନୁମତି ମିଳିବାର ସମ୍ଭାବନା ଥିବା ବେଳେ ଏହି ଟିକା ଉତ୍ପାଦନ ପାଇଁ ଡ. ରେଡ୍ଡିଜ୍ ଲାବ ଲାଇସେନ୍ସ ହାସଲ କରିଛି। ସେହିପରି ଭାରତୀୟ ଔଷଧ ମହା ନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଜାନସିନ ଟିକାର ଫେଜ୍-୧ ଓ ଫେଜ-୨ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି। ଏହି ଟିକାକୁ ପୂର୍ବରୁ ଆମେରିକୀୟ ଔଷଧ ନିୟନ୍ତ୍ରକ ୟୁଏସଏଫଡିଏ ଅନୁମତି ଦେଇଥିବାରୁ ଭାରତରେ ଏହାର ଏକ ବ୍ରିଜିଂ ଟ୍ରାଏଲ ଅର୍ଥାତ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପରୀକ୍ଷଣ କରାଯିବ। ତେଣୁ ଖୁବ ଶୀଘ୍ର ଏହି ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି। ଏହାଛଡା ଅନ୍ୟ ଟିକାଗୁଡ଼ିକୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ ବୋଲି କୁହାଯାଇଛି।