

ସତ୍ୟଶିଖା( ଭୁବନେଶ୍ୱର )୧୭.୦୯ . ୨୦୨୨: ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଅତ୍ୟାଧୁନିକ ଓ ସୁପର ସ୍ପେସାଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’। ରାଜ୍ୟର ବଛାବଛା ଓ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀମାନଙ୍କୁ ବିମାନରେ ରାଜ୍ୟର ପ୍ରତିଷ୍ଠିତ ଡ଼ାକ୍ତରଖାନାକୁ ଅଣାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁରରେ ବିଶେଷଜ୍ଞ ଡ଼ାକ୍ତରମାନେ ଯାଇ ଚିକିତ୍ସା ଯୋଗାଉଛନ୍ତି। ସମ୍ପ୍ରତି ଏହି ଯୋଜନାରେ ଅଧିକ ଜିଲ୍ଲାକୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ଗତକାଲି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ଯୋଜନାରେ ମାଲକାନଗିରିରେ ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପହଞ୍ଚି ଚିକିତ୍ସା ସେବା ଆରମ୍ଭ କରିଛନ୍ତି।
ଭୁବନେଶ୍ୱରରୁ ଏକ ଚାରି ଜଣିଆ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରି ଆସିଛନ୍ତି। ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡ଼ା.ଏଚ୍.କେ. ମାଝି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡ଼. କୈବଲ୍ୟ ରଞ୍ଜନ ଦାସ, ନେଫ୍ରୋଲୋଜି ବିଶେଷଜ୍ଞ ଡ଼. ଅରୁଣ କୁମାର ଆଚାର୍ଯ୍ୟ, ନିଶ୍ଚେତକ ବିଶେଷଜ୍ଞ ଡ଼.ଦେବାଶିଷ ସ୍ୱାଇଁ ପ୍ରମୁଖ ଜିଲ୍ଲାରେ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଏମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ଓ ଅନ୍ୟମାନେ ମଧ୍ୟ ଯୋଗ ଦେଇଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଏଥିରେ କଳାହାଣ୍ଡି, ମାଲକାନଗିରି, ନୂଆପଡ଼ା ଏବଂ ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଜିଲ୍ଲାକୁ ସାମିଲ କରାଯାଇଛି। ଉପାନ୍ତ ଏବଂ ଦୁର୍ଗମ ଇଲାକାରେ ରହୁଥିବା ଲୋକ ବିଶେଷକରି ଜନଜାତି ବର୍ଗର ନାଗରିକଙ୍କ ପାଖରେ ସୁପର ସ୍ପେଶାଲିଟି ସେବା ପହଞ୍ଚାଯାଇ ପାରିଛି। କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, କାର୍ଡିଓଲୋଜି, ଲାପ୍ରୋସ୍କୋପିକ୍ ସର୍ଜରୀ ବିଭାଗର ଡ଼ାକ୍ତରମାନେ ଲୋକଙ୍କୁ ଚିକିତ୍ସା କରୁଛନ୍ତି। କୋଭିଡ୍ ମହାମାରୀ ପାଇଁ କିଛି ସମୟ ପଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇ ଥିଲା। ପରେ ଏପ୍ରିଲ ମାସରୁ ପୁଣି ଥରେ ଏହାର ଶୁଭାରମ୍ଭ କରାଯାଇଛି। ଦୁଇ ତିନି ଦିନ ଧରି ବିଶେଷଜ୍ଞ ଡାକ୍ତର ସେଠାରେ ଉପସ୍ଥିତ ରହି ସ୍ୱତନ୍ତ୍ର କ୍ୟାମ୍ପ୍ ଆୟୋଜନ କରୁଛନ୍ତି। ଅତିରିକ୍ତ ଡିଏମ୍ଇଟି ଏହି ଯୋଜନାର ନୋଡ଼ାଲ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ବରିଷ୍ଠ ଅଧିକାରୀସ୍ତରରେ ନିୟମିତ ଭାବେ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ହେଉଛି ଦ୍ୱିତୀୟ ଅଭିନବ କାର୍ଯ୍ୟକ୍ରମ।