

ସତ୍ୟଶିଖା( ସମ୍ବଲପୁର )୦୩.୦୬. ୨୦୨୨ : ଆସନ୍ତାକାଲି ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ। ଦେବ ଦମ୍ପତ୍ତିଙ୍କ ବିବାହତ୍ସୋବ ପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର। ଆଜି ଝାଡୁଆପଡ଼ା, ମୁଦିପଡ଼ା ଓ ଅନ୍ୟାନ ପଡ଼ା ମାନଙ୍କରେ ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ। ପ୍ରଭୁ ହନୁମାନ ନିମନ୍ତ୍ରଣ ନେଇ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବେ।
ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ ବୁଧବାର ଦିନ ନିମନ୍ତ୍ରଣ ଦେଇଥିଲେ ପ୍ରଭୁ ନୃସିଂହ। ବିବାହ ପୂର୍ବରୁ ଗତକାଲି ଝାଡୁଆପଡ଼ା, ମୁଦିପଡ଼ା ଓ ଅନ୍ୟାନ ପଡ଼ା ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି ପତରପେଣ୍ଡି ବା ନିର୍ବନ୍ଧ। ସନ୍ଧ୍ୟାରେ ବରପିତା ଓ ସପ୍ତଋଷି ମଣ୍ଡଳୀ କନ୍ୟା ଅନ୍ୱେଷଣରେ ବାହରିଥିଲେ।
କନ୍ୟା ମାତା ପିତା ବିବାହ ପାଇଁ ସମ୍ମତି ଦେବା ପରେ ଶାଳ ପତ୍ରର ବିଡ଼ା ଦେଇ ନିର୍ବନ୍ଧ କରାଯାଇଥିଲା। ଝାଡୁଆପଡ଼ା ଯାତ୍ରା କମିଟି ଓ ସ୍ଥାନୀୟ ବାସିନ୍ଦା ବାବାଙ୍କ ନିର୍ବନ୍ଧରେ ସାମିଲ ହୋଇ ଦେବତାଙ୍କ ଏ ମାନବୀୟ ଲୀଳା ଦର୍ଶନ କରିଥିଲେ। ତେବେ ବିବାହ ପାଇଁ ରାଜି କରାଇବା ପାଇଁ ବର ଓ କନ୍ୟା ପକ୍ଷ ମଧ୍ୟରେ ହୋଇଥିଲା ବେଶ ଯୁକ୍ତିତର୍କ।