ଓଡିଶା ପାଳୁଛି ପହିଲି ରଜ: ଭଳିକି ଭଳି ପିଠା ବାସ୍ନାରେ ମହକୁଛି ଗାଁ ଦାଣ୍ଡ

ସତ୍ୟଶିଖା(ଭୁବନେଶ୍ୱର )୧୪.୦୬. ୨୦୨୨ : ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । କରୋନା କଟକଣା ହଟିବା ପରେ ୨ ବର୍ଷ ପରେ ଏହି ପରମ୍ପରା ପାଳନ କରୁଛନ୍ତି ରାଜ୍ୟବାସୀ । ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର ମଜା । ଦୁଇ ବର୍ଷରୁ ଯେଉଁ ଜିନିଷକୁ ଭୁଲି ଯାଇଥିଲା ସାରା ଓଡିଶା, ଏବେ ସେହି ଖୁସି ପୁଣି ଫେରି ଆସିଛି । ନୂଆ ପୋଷାକ, ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜ ହେଉଛନ୍ତି ଓଡ଼ିଆଣୀ। ସେପଟେ ଘରେ ପୋଡପିଠା, ମଣ୍ଡା, ଏଣ୍ଡୁରୀ, ଚକୁଳି, ଆରିସା ଇତ୍ୟାଦି ପିଠା ସାଙ୍ଗକୁ ମିଠାର ବାସନାରେ ଗାଁ ଦାଣ୍ଡ ମହକି ଉଠୁଛି । ଏସବୁ ପରେ ରଜପାନ ପର୍ବକୁ ସମ୍ପୂର୍ଣ୍ଣ ନିଆରା କରି ଦେଇଛି । ଆଜି ପହିଲି ରଜ, ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ରଜଗୀତ ଶୁଭୁଛି, ଘରେ ଘରେ ପିଠାପଣାରେ ଆସର ଜମିଛି । ପୃଥିବୀମାତାଙ୍କ ଉପାସନା ସହିତ ନାରୀଜାତିକୁ ସମ୍ମାନ ପାଇଁ ପାଳନ ହୁଏ ରଜ ପର୍ବ । ନାରୀର ସଙ୍ଘର୍ଷ, ତାର କଷ୍ଟ, ଯନ୍ତ୍ରଣା ଆଉ ତ୍ୟାଗକୁ ସମ୍ମାନ ଜଣାଇବାର ଏକ ପର୍ବ । କାମ ଧନ୍ଦାରୁ ଟିକିଏ ଅବସର ନେଇ ନାରୀ ଜୀବନକୁ ଉପଭୋଗ କରିବାର ସୁଯୋଗ ଦେବା ପାଇଁ ପର୍ବକୁ ନାରୀମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ।

Exit mobile version