ରାଜନୀତି

ଓଡିଆ ଲୋକ ଗରିବ, ହେଲେ ସରକାର କହୁଛନ୍ତି ସେ ଧନୀ

ସତ୍ୟଶିଖା(ଭୁବନେଶ୍ୱର) ୧୭.୧୧.୨୦୨୩ : ବାଃ ବାଃ ନେବା ଲାଗି ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ଦେଖାଇଦେଲା । ହେଲେ ସତ କଣ ତାହା ସମସ୍ତଙ୍କୁ ଜଣା ।  ଏକ ଘରୋଇ ସଂସ୍ଥା ଦ୍ବାରା 2021-22 ଆର୍ଥିକ ବର୍ଷରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶାକୁ ଏକ ରାଜସ୍ବ ବଳକା ରାଜ୍ୟ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ବିଜେଡି ସାଂସଦ ଓ ନେତା ଟ୍ବିଟ୍ କରି ଏହାକୁ 23 ବର୍ଷ ସ୍ଥିର ଶାସନର ସଫଳତା ବୋଲି ଡିଣ୍ଡିମ ପିଟୁଛନ୍ତି । ଆଉ ଏ ସରକାର କେମିତି ବାଃ ବାଃ ନେଉଛନ୍ତି ତାହାର ଭାଣ୍ଡାଫୋଡ୍‌ କରିଛନ୍ତି ବିଜେପି ନେତା ଅନୀଲ ବିଶ୍ଵାଳ ।

ଓଡିଶାର ମୁଣ୍ଡ ପିଛା ଆୟ ଆଜି ଦେଶରେ 22 ନମ୍ବର ସ୍ଥାନରେ l କିନ୍ତୁ ସରକାର କହୁଛନ୍ତି ଯେ ସରକାର ବଳକା ବଜେଟରେ ଦେଶରେ ଏକ ନମ୍ବର । ଏହାର ଅର୍ଥ ହେଉଛି ଯେ ଓଡିଆ ଲୋକ ଗରିବ, ସରକାର ଧନୀ । ଯେଉଁ ରାଜ୍ୟରେ ରାଜା ଧନୀ ହୁଏ ଆଉ ପ୍ରଜା ଗରିବ ହୁଏ, ସେଠାରେ ରାଜା ଉତ୍ପୀଡ଼ନ କରୁଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି ଅନିଲ । ବଜେଟରେ ସାମାଜିକ କଲ୍ୟାଣ ପାଇଁ, ଗରିବ ଲୋକଙ୍କ ବିକାଶ ପାଇଁ ଆବଣ୍ଟିତ ଥିବା ଅର୍ଥକୁ ସରକାର ଜାଣିଶୁଣି ବର୍ଷ ପରେ ବର୍ଷ ଖର୍ଚ୍ଚ ନକରି ନିଜକୁ ଏକ ବଳକା ରାଜ୍ୟ ଭାବରେ ଦେଖାଇ ଗର୍ବ କରିବା ଏକ Welfare State ର ଲକ୍ଷଣ ହୋଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି ?

ଆଜି ଏକ ବଳକା ରାଜ୍ୟ କାହିଁକି ଗରିବୀରେ ଏକ ନମ୍ବର ବୋଲି ପ୍ରଶ୍ନ କରି ସରକାରଙ୍କ ଡିଣ୍ଡିମର ପୋଲ୍ ଖୋଲିଛନ୍ତି ଅନିଲ୍ । ଖଣିରୁ ଆସୁଥିବା ରାଜସ୍ବ ରାଜ୍ୟ ଅର୍ଥନୀତିରେ ସିଂହଭାଗ ଭୂମିକା ନିଭାଉଥିବା ବେଳେ ଏହା ଭଗବାନ ପ୍ରଦତ୍ତ ଏବଂ କେନ୍ଦ୍ରୀୟ ଯୋଜନାର ସଫଳ କ୍ରୀୟାନ୍ବୟନର ପ୍ରତିଫଳ । ହେଲେ ରାଜ୍ୟ ସରକାରଙ୍କ ଅପାରଗତାରୁ ଏଠି ଚାଷୀ ହତାଶ୍, ଯୁବକ ନିରାଶ କହି ବର୍ଷିଛି ବିଜେପି । ରାଜ୍ୟରେ ସରକାରଙ୍କ ଆୟୁ ଯେତିକି ବଢିଚାଲିଛି ଚାଷୀଙ୍କ ଆୟୁ ସେତିକି କମୁଛି ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  ବିଜେପି ନେତା ରମା ବଳିୟାର ସିଂ।

Show More
Back to top button