

ସତ୍ୟଶିଖା(ଭୁବନେଶ୍ୱର) ୧୫.୦୭.୨୦୨୧: ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି । ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।
ପରୀ ମା’ଙ୍କ ପକ୍ଷର ଓକିଲ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀଙ୍କ ଯୁକ୍ତିକୁ କୋର୍ଟ ଶୁଣିଥିଲେ । କାହିଁକି ସେମାନେ ସୁପ୍ରିମକୋର୍ଟ ଆସିଛନ୍ତି ସେ ସମ୍ପର୍କରେ ମହେଶ ଜେଠମାଲାନୀ କୋର୍ଟଙ୍କୁ ଜଣାଇଥିଲେ । ଏହି ଅବସରରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ କପି ମାଗିଥିଲେ । ତେବେ ରାୟ କପି ପାଇଲା ପରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିବା ଜଣାଯାଇଛି ।
ପ୍ରକାଶ ଯେ, ପରୀର ମା’ ସୌଦାମିନି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ପାଇବା ପାଇଁ ସେ ସୁପ୍ରିମକୋର୍ଟ ଯାଇଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନି ସୁପ୍ରିମକୋଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାର ତଦନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି କରିଥିଲେ ମଧ୍ୟ ପରୀର ମା’ ସୌଦାମିନି କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହନ୍ତି । ସେ ମାମଲାର ତଦନ୍ତ ସିବିଆଇ ଦେବାକୁ ଦାବି କରିଛନ୍ତି ।
ପ୍ରକାଶ ଯେ, ପରୀ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି । ବିଶେଷକରି ବିଜେପି ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରି ବ୍ୟାପକ ଆନେ୍ଦାଳନ କରିଛି । ଗତ ବିଧାନସଭା ଅଧିବେଶନରେ ବି ଏହି ପ୍ରସଙ୍ଗ ଗୃହକୁ ସରଗରମ କରିଦେଇଥିଲା । ଅପରପକ୍ଷରେ ରାଜ୍ୟ ସରକାର ହତ୍ୟାକାଣ୍ଡକୁ ଗୁରୁତର ସହ ଗ୍ରହଣ କରି ଏସଆଇଟି ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଇତିମଧ୍ୟରେ ଏସଆଇଟି ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି ।
ତେବେ ପରୀ ମା କିନ୍ତୁ ଏହି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି । ଅଙ୍ଗ ତସ୍କରୀ ଦିଗକୁ ଏସଆଇଟି ଆଦୌ ତଦନ୍ତ କରିନଥିବା ପୂର୍ବରୁ ପରୀ ମା’ ଅଭିଯୋଗ କରିଥିଲେ । ଏପରିକି ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କୁ ଜେରା ନକରାଯିବାକୁ ନେଇ ପରୀ ମା’ ପ୍ରଶ୍ନ ଉଠାଇଥିଲେ ।