ଏବେ ମିଳିବ ବାଉଁଶରୁ ତିଆରି ବିସ୍କୁଟ୍ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୦ .୦୯.୨୦୨୦ :  ବିଶ୍ୱ ବାଉଁଶ ଦିବସ ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ବାଉଁଶରୁ ତିଆରି ବିସ୍କୁଟ ଓ ମହୁ ବୋତଲ ଲଞ୍ଚ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଉଭୟ ସାମଗ୍ରୀ ରାଜ୍ୟରେ ରୋଜଗାର ମଉକା ବୃଦ୍ଧି କରିବ । ପ୍ରତିବର୍ଷ ସେପ୍ଟେମ୍ବର ୧୮ ତାରିଖକୁ ବିଶ୍ୱ ବାଉଁଶ ସଂଗଠନ ଦ୍ୱାରା ବାଉଁଶ ଦିବସ ପାଳନ କରାଯାଇଥାଏ । ଏହି ଦିବସ ଉଦ୍ଦେଶ୍ୟ ହେଲା ବାଉଁଶ ଉଦ୍ୟୋଗର ସଂରକ୍ଷଣ ଓ ସମ୍ବର୍ଧନ ପ୍ରତି ସଚେତନତା ।

ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ଲେଖିଛନ୍ତି, ବିଶ୍ୱ ବାଉଁଶ ଦିବସ ଅବସରରେ ବାଉଁଶ ତିଆରି ବିସ୍କୁଟ ଓ ମହୁ ବୋତଲ ଲଞ୍ଚ କରାଯାଉଛି । ଏହି ଦୁଇଟି ସାମଗ୍ରୀ ରାଜ୍ୟରେ ଅନେକ ଲୋକଙ୍କ ଜୀବିକା ସାଧନା ହୋଇପାରିବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ମଧ୍ୟ ପୁରା ହୋଇପାରିବ ।

ସେ କହିଛନ୍ତି ଯେ, ବାଉଁଶରୁ ତିଆରି ହୋଇଥିବା ବିସ୍କୁଟ ପ୍ରାକୃତିକ ଉପାୟରେ ତିଆରି କରାଯାଇଛି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ ଓ ପୁଷ୍ଟିକର ମଧ୍ୟ । ଏଥିପାଇଁ ସେ ବାମ୍ବୁ ଓ କେନ୍ ବିକାଶ ପ୍ରତିଷ୍ଠାନ ଏବଂ ଡକ୍ଟର ଅଭିନାଭ କାଣ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ବିସିଡି ଇନଷ୍ଟିଚ୍ୟୁଟର ସଭାପତି ଡକ୍ଟର ଅଭିନାଭ କାଣ୍ଟ ଏହି ବିସ୍କୁଟ ଏବଂ ବାଉଁଶର ବୋତଲ ବିକଶିତ କରିଛନ୍ତି ଯାହା ଦ୍ୱାରା ରାଜ୍ୟରେ ଏହି ନୂତନ ଶିଳ୍ପ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଡକ୍ଟର କାଣ୍ଟ ସ୍ପଷ୍ଟ କରିଛନ୍ତି ଯେ ବାଉଁଶରୁ ନିର୍ମିତ ବିସ୍କୁଟ ସାଧାରଣ ବିସ୍କୁଟ ଅପେକ୍ଷା ଅଧିକ ପୁଷ୍ଟିକର ଅଟେ ।

Exit mobile version