ସତ୍ୟଶିଖା (କଟକ) ୩୦/୦୧/୨୦୨୧ : ଏବେ ଗାଡି ଚାଳକଙ୍କ ପାଇଁ ଖୁସି ଖବର । କୌଣସି ଗାଡ଼ିର ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍ ଅବଧି ଶେଷ ହୋଇଗଲେ ଚିନ୍ତା କରିବାର ଆବଶ୍ୟକ ନାହିଁ । ଗାଡିର ନବୀକରଣ ଲାଗି ମୂଳ ଆର୍ଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)ଙ୍କ ନିକଟରେ ଗାଡ଼ି ମାଲିକଙ୍କୁ ଆବେଦନ କରିବା ବାଧ୍ୟତାମୂଳକ ନୁହେଁ । ଜଣେ ଗାଡ଼ି ମାଲିକ ଯେକୌଣସି ସ୍ଥାନରୁ ଗାଡ଼ି କିଣିଥିଲେ ମଧ୍ୟ ସେ ସବୁ ଆର୍ଟିଓଙ୍କ ନିକଟରେ ନବୀକରଣ ଆବେଦନ କରିପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପୁରୁଣା ନିୟମାନୁସାରେ, କୌଣସି ଗାଡ଼ି ପଞ୍ଜୀକରଣର ୧୫ବର୍ଷ ପରେ ଏହାର ନବୀକରଣର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ଗାଡ଼ି ମାଲିକ ଯେଉଁ ଆରଟିଓଙ୍କ ଅଧୀନ ଅଞ୍ଚଳରେ ଗାଡ଼ି କିଣିଥାନ୍ତି ସେଠାରେ ଗାଡ଼ିର ନବୀକରଣ ଲାଗି ଆବେଦନ କରିଥାନ୍ତି । ଏହି ପ୍ରକ୍ରିୟା ବିଳମ୍ବିତ ମଧ୍ୟ ହୁଏ । ଏମ୍ଭିଆଇ ଗାଡ଼ିକୁ ଯାଞ୍ଚ କରିବା ପରେ ଯଦି ଏହାର ସ୍ଥିତି ଠିକ୍ ରହିଥାଏ ତାହେଲେ ଆଉ ୫ବର୍ଷ ଲାଗି ଗାଡ଼ି ପଞ୍ଜୀକରଣର ନବୀକରଣ ଅନୁମତି ପ୍ରଦାନ କରିଥାନ୍ତି । ପୁନର୍ବାର ପାଞ୍ଚବର୍ଷ ପରେ ଗାଡ଼ିର ସ୍ଥିତିକୁ ଦେଖି ଏହାର ନବୀକରଣ ପାଇଁ ଆବେଦନ କରାଯାଏ ।
ଏହା ଅନେକ ଚାଳକଙ୍କୁ ସମସ୍ୟା ଦେଇଥାଏ । କାରଣ ଅନେକ ସମୟରେ ଜଣେ ଗାଡ଼ି ମାଲିକ ଯେଉଁ ଆରଟିଓଙ୍କ ଅଧୀନରେ ଗାଡ଼ି କିଣିଥାନ୍ତି ୧୫ବର୍ଷ ବେଳକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥାନ୍ତି । ଫଳରେ ଏଭଳି ଗାଡ଼ି ମାଲିକଙ୍କୁ ପୁଣି ମୂଳ ଆରଟିଓକୁ ଆସି ଗାଡ଼ି ପଞ୍ଜୀକରଣ ପାଇଁ ଆବେଦନ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯଦି ଗାଡ଼ି ମାଲିକ ଚାକିରି କରୁଥାନ୍ତି ଏବଂ ତାଙ୍କର ଦୂର ସ୍ଥାନକୁ ବଦଳି ହୋଇଥାଏ ତାହେଲେ ଏଭଳି କ୍ଷେତ୍ରରେ ଅଧିକ ସମସ୍ୟା ସୃଷ୍ଟି ହୋଇଥାଏ । ଏବେ ଏହି ନୂଆ ନିୟମ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ଆଣିଛି ।