

ସତ୍ୟଶିଖା( ଝାରସୁଗୁଡ଼ା )୦୪.୦୫.୨୦୨୨ : ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଲଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ଅର୍ଥାତ୍ ୪ ତାରିଖରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗରରେ ପୁଣି ଥରେ ଉପ ନିର୍ବାଚନ ହେବାକୁ ଯାଉଛି। ତତ୍କାଳୀନ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ୧୯୯୮ ମସିହାରେ ଏଠାରେ ପ୍ରଥମ କରି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂପ୍ରତି ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ମେ ୩୧ ତାରିଖ ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ହେବାକୁ ଯାଉଛି।
୧୯୯୮ ରେ ବ୍ରଜରାଜନଗର ପ୍ରଥମ ଥର ପାଇଁ ଏକ ଉପନିର୍ବାଚନର ସମ୍ମୁଖୀନ ହୋଇଥିଲା। ସେହି ଉପ ନିର୍ବାଚନରେ କଂଗ୍ରେସର କେଶବ ସାହୁ ୫୨୨ ଭୋଟ ଅଧିକ ପାଇ ବିଜେଡିର ରାଧାରାଣୀ ପଣ୍ଡାଙ୍କଠାରୁ ବିଜୟୀ ହୋଇଥିଲେ। ଶ୍ରୀ ସାହୁ ୨୮, ୪୭୬ ଭୋଟ ପାଇଥିବା ବେଳେ ଶ୍ରୀମତୀ ପଣ୍ଡା ୨୭, ୯୫୪ ଭୋଟ ପାଇଥିଲେ। ଏହି ନିର୍ବାଚନରେ ସିପିଆଇର ମହମ୍ମଦ ଜାକିରୁଲ୍ଲା ୨୫,୮୦୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ବିଜେଡିରୁ ସ୍ବର୍ଗତ ମହାନ୍ତି ୮୦,୧୫୨ ଭୋଟ ପାଇଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୬୮,୧୫୩ ଭୋଟ ପାଇଥିଲେ। କଂଗ୍ରେସ ଆସନ ବୁଝାମଣା କରି ସିପିଆଇକୁ ଏଠାରେ ସୁଯୋଗ ଦେଇଥିବା ବେଳେ ସିପିଆଇର ରମେଶ ତ୍ରିପାଠୀ ମାତ୍ର ୯,୩୫୦ ଭୋଟ ପାଇଥିଲେ।