ପୁଣି ବାଲେଷ୍ଟିକ୍‍ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ସତ୍ୟଶିଖା,(ପୋଙ୍ଗୟାଙ୍ଗ) ୨୬ .୦୩ .୨୦୨୧ :  ଉତ୍ତର କୋରିଆ ଅଢ଼େଇ ଟନ୍‍ ଯୁଦ୍ଧାସ୍ତ୍ର ବହନ କ୍ଷମତା ଥିବା ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ହେବା ପରେ ଉତ୍ତର କୋରିଆ ପକ୍ଷରୁ ଜାରି ହୋଇଥିବା ଏହା ପ୍ରଥମ ବିବୃତ୍ତି। ପ୍ରାୟ ଏକବର୍ଷର ବ୍ୟବଧାନ ପରେ ଉତ୍ତର କୋରିଆର ଏହା ପ୍ରଥମ ବାଲେଷ୍ଟିକ୍‍ କ୍ଷେପଣାସ୍ତ୍ର ପରୀକ୍ଷଣ। ତା’ଛଡା ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍‍ କ୍ଷମତାକୁ ଆସିବା ପରେ ଉତ୍ତରକୋରିଆର ଏହା ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷଣ। ଶ୍ରୀ ବାଇଡେନ୍‍ କହିଛନ୍ତି ଆମେରିକା ଉତ୍ତରକୋରିଆର ଏଭଳି କାର୍ଯ୍ୟକଳାପର ଠିକଣା ଜବାବ ଦେବ। ଉତ୍ତରକୋରିଆ ଦ୍ୱାରା ଏହି କ୍ଷେପଣାସ୍ତ୍ର ପରୀକ୍ଷଣକୁ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ତୀବ୍ର ନିନ୍ଦା କରିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ପ୍ରସ୍ତାବରେ ଉତ୍ତରକୋରିଆକୁ କୌଣସି ପ୍ରକାରର ବାଲେଷ୍ଟିକ୍‍ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପାଇଁ ନିଷେଧ କରାଯାଇଛି।
ଉତ୍ତରକୋରିଆରୁ ଜାରି ଏକ ଇସ୍ତାହାରରେ ସେଠାକାର ବରିଷ୍ଠ ନେତା ରି ପିୟୋଙ୍ଗ ଚୋଲ୍‍ କହିଛନ୍ତି ଏହି କ୍ଷେପଣାସ୍ତ୍ରର ବିକାଶ ଦ୍ୱାରା ଉତ୍ତରକୋରିଆର ସାମରିକ ଶକ୍ତି ବୃଦ୍ଧି ପାଇବ ଓ ଏହା ବାହ୍ୟ ଦେଶ ଗୁଡ଼ିକରୁ ଥିବା ବିପଦଗୁଡ଼ିକୁ ସାମ୍‍ନା କରିବାରେ ଦେଶର ସାମର୍ଥ୍ୟ ବୃଦ୍ଧି କରିବ। ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସେ ତଦାରଖ କରୁଥିଲେ। ସେ କହିଛନ୍ତି ଗତକାଲି ପରୀକ୍ଷା ହୋଇଥିବା ଏହି କ୍ଷେପଣାସ୍ତ୍ର ୬୦୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଅନ୍ୟପକ୍ଷରେ ଜାପାନ କହିଛି ସେହି କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

Exit mobile version