

ସତ୍ୟଶିଖା( ପୁରୀ )୨୭.୦୫.୨୦୨୨ : ସ୍ବାମୀଙ୍କର ମୃତ୍ୟୁ ପରେ ମଧ୍ୟ ପରିବାରକୁ ନ୍ୟାୟ ନମିଳିବା ନେଇ ସଂଯୁକ୍ତା ମହାନ୍ତି ସପରିବାର ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ମାଗିଛନ୍ତି। ସଂଯୁକ୍ତାଙ୍କ କହିବା ମୁତାବକ, ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ବ୍ଲକ୍ ହାଟସାହିର ବାସିନ୍ଦା ପର୍ଶୁରାମ ମହାନ୍ତି କଟକସ୍ଥିତ ଅବକାରୀ ବିଭାଗରେ ହାବିଲ୍ଦାର ଭାବେ କାର୍ଯ୍ୟରତ ଥିଲେ। ଛୁଟିରେ ଘରକୁ ଆସିଥିବା ବେଳେ ଘରର କାନ୍ଥ ତାଙ୍କ ଉପରେ ପଡ଼ିଯିବାରୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ଏସ୍ସିବି ପଠାଇ ଦିଆଗଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ତାଙ୍କୁ କଟକ ନେଇ ଯିବା ବେଳେ ହଂସପାଳ ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେଣୁ ଗୁରୁତର ଥିବା ପର୍ଶୁରାମଙ୍କ ଉପରେ ଅକ୍ସିଜେନ୍ ସିଲିଣ୍ଡରଟି ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ କ୍ଷତିପୂରଣ ନେଇ ପର୍ଶୁରାମଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି ସହ ମୃତକ ପର୍ଶୁରାମଙ୍କ ପରିବାରକୁ ୯ଲକ୍ଷ ୭୭ ହଜାର ୬୨୨ ଟଙ୍କା କ୍ଷତିପୂରଣ ବାବଦରେ ଦେବା ପାଇଁ ଜିଲ୍ଲାପାଳ, ସିଡିଏମ୍ଓ ଓ ସ୍ବାସ୍ଥ୍ୟ ବିଭାଗକୁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥିଲେ। ଏପରିକି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ସହାୟତା ରାଶି ନଦେଲେ ୭ ପ୍ରତିଶତ ସୁଧ ହାରରେ ଏହି ଅର୍ଥ ଦେବାକୁ ୨୦୧୨ ମସିହାରେ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ।