

ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : ନନ୍ଦନକାନନ ପିଛା ଛାଡୁନି ଶନିଦଶା । ବାଜେଣୀ ପକ୍ଷୀ ପରେ ସମ୍ବର, ଧଳା ବାଲି ହରିଣ, ନାଲି ବାଘୁଣୀ ଆନିନ୍ ଓ ମାରମୋସେଟ୍ ମାଙ୍କଡ଼ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନର ଆକର୍ଷଣ ସାଜିଥିବା ନୀଳଗାଈର ମୃତ୍ୟୁ ଘଟିଛି । ୨୧ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅସୁସ୍ଥ ଅଛନ୍ତି । ଏହି ଘଟଣାକୁ ନେଇ ଉପନିର୍ଦେଶକଙ୍କ ଚିନ୍ତା ବଢ଼ିଯାଇଛି ।
ପ୍ରାଣୀ ଉଦ୍ୟାନ ୬୭ନମ୍ବର (ଗ) ଖୁଆଡ଼ର ଏକ ସ୍ଵତନ୍ନ କୋଠରିରେ ରହି ଚିକିତ୍ସିତ ହେଉଥିବା ଅଣ୍ଡିରା ନୀଳଗାଈର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲା । ୧୨ବର୍ଷର ଅଣ୍ଡିରା ନୀଳଗାଈ ୨୦୦୨ରେ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା । ଯକ୍ଷ୍ମାରେ ପୀଡ଼ିତ ହେବା ସହ ବିଭିନ୍ନ ରୋଗ ଦେଖା ଦେବାରୁ ବନ୍ୟପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରୁଥିଲେ । ଦୁଇ ଦିନ ହେଲା ତା’ର ଖାଇବା କମିଯାଇଥିଲା । ସେ ଚଲାବୁଲା କରିପାରୁ ନ ଥିଲା । ଥଣ୍ଡା ଯୋଗୁଁ ପାଟିରୁ ନାଳ ଗଡ଼ିବା ସହ ସଂକ୍ରମିତ ହୋଇ ଆଜି ତା’ର ମୃତ୍ୟୁ ହୋଇଥିବା ଜନ୍ତୁ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଜନ୍ତୁ ବିଶେଷଜ୍ଞଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ବନ୍ୟଜନ୍ତୁ ସ୍ଵାସ୍ଥକେନ୍ଦ୍ରକୁ ପଠାଯାଇଛି । ନୀଳଗାଈର ମୃତ୍ୟୁ ପରେ ସେମାନଙ୍କ ସଂଖ୍ୟା ୧୫କୁ ହ୍ରାସ ପାଇଛି । ସେମାନଙ୍କ ମଧ୍ୟରେ ୨ ଅଣ୍ଡିରା, ୧୧ ମାଈ ଓ ୨ ଶାବକଙ୍କର ଲିଙ୍ଗ ଚିହ୍ନଟ ହୋଇନାହିଁ । ସାଧାରଣତଃ ଏହି ପ୍ରଜାତିର ନୀଳଗାଈ ଉତ୍ତରଭାରତ ସମତଳ ଅଞ୍ଚଳରୁ ସହିତ କର୍ଣ୍ଣାଟକ, ରାଜସ୍ଥାନ ଓ ଆସାମ ଅଞ୍ଚଳରେ ଦେଖାଯାଆନ୍ତି । ୨ ବର୍ଷରୁ ଯୌନକ୍ଷମ ହେବାପରେ ୮ରୁ ୯ମାସ ମଧ୍ୟରେ ଗର୍ଭଧାରଣ କରି ଥରକେ ୨ଟି ଶାବକ ଜନ୍ମ କରିଥାନ୍ତି । ଏମାନଙ୍କ ଆୟୁଷ ୨୧ବର୍ଷ । ମହୁଲ ଫୁଲ ଏମାନଙ୍କର ପ୍ରିୟ ଖାଦ୍ୟ ।