
ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ଦେଶରେ କରୋନା ଭାଇରସ ଦ୍ରୁତ ଭାବେ ବ୍ୟାପୁଛି । ଏବେ ଏ ମାମଲା ନିତିଦିନ ୮୦ ହଜାର ପାର୍ କରୁଛି । ଧୀରେ ଧୀରେ ଗରମ ଶେଷ ହେଉଛି ଓ ଶୀତ ଋତୁ ଆରମ୍ଭ ହେଉଛି । ଏହାରି ଭିତରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କ’ଣ ଶୀତ ଦିନରେ ଏହା ଅଧିକ ମାରାତ୍ମକ ରୂପ ନେବ?
ନୀତି ଆୟୋଗ ସଦସ୍ୟ ଡାକ୍ତର ବିକେ ପଲ କହିଛନ୍ତି ମହାମାରୀ ପାଇଁ ଆଗାମୀ ଦୁଇ-ତିନି ମାସ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତ୍ୱ ଓ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଶୀତ ଦିନେ ଶ୍ୱାସ ସମ୍ବନ୍ଧୀୟ ଭାଇରସ ଅଧିକ କ୍ଷତିକାରକ ହୋଇଥାନ୍ତି। ଏଣୁ ଏ ମାମଲା କିପରି କମ୍ କରାଯିବ ସେନେଇ ଚେଷ୍ଟା ଚାଲିଛି। ସେ କହିଛନ୍ତି ଏବେ ବିଶ୍ୱ କରୋନାର ଦ୍ଵିତୀୟ ଲହର ଦେଇ ଗତି କରୁଛି। ଏବେ ବୈଜ୍ଞାନିକ ମାନେ କରୋନାର ଗମ୍ଭୀର ରୂପ ବାବଦରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଅବଶ୍ୟ ଏହା ପୂର୍ବରୁ ବୈଜ୍ଞାନିକମାନେ କହିଥିଲେ ଭାଇରସ ଉପରେ ପାଣିପାଗର କିଛି ପ୍ରଭାବ ପଡ଼ି ନ ଥାଏ। ତେବେ ଯଦି କୌଣସି ପୃଷ୍ଠଭୂମି ଉପରେ କରୋନା ଭାଇରସ ଥାଏ , ଗରମରେ ତାପମାତ୍ରା ଅଧିକ ହେବା ଯୋଗୁ ତାହା ବେଶି ଦିନ ସକ୍ରିୟ ରହେ ନାହିଁ। ମାତ୍ର ଶୀତ ଦିନେ ଏହାର ଫଳ ଓଲଟା ହୋଇଥାଏ। ଅର୍ଥାତ ଶୀତ ଦିନ ଭାଇରସ ପାଇଁ ଅନୁକୂଳ ବାତାବରଣ ହୋଇଥାଏ। ଏ ସମୟରେ ଏହା ଅଧିକ ସମୟ ସକ୍ରିୟ ରହନ୍ତି। ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ଅଧିକ ବଢ଼ିଯାଏ।