ଟୁଇନ୍ ସିଟିରେ ରାତି ୮ରୁ ନାଇଟ୍ କର୍ଫ୍ୟୁ, ବାଣ ବିକ୍ରି ବି ମନା


ସତ୍ୟଶିଖା(ଭୁବନେଶ୍ୱର )୦୧.୧୦ .୨୦୨୧: କରୋନା ସଂକ୍ରମଣ ମାମଲା ରାଜ୍ୟରେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟ ସରକାର ପୁଣିଥରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ସମଗ୍ର ରାଜ୍ୟର ସହରାଂଚଳରେ ନାଇଟ୍ କର୍ଫ୍ୟୁ ଆସନ୍ତା ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବାବେଳେ କେବଳ ଟୁଇନ୍ ସିଟିରେ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ଏହାସହିତ ପାର୍ବଣ ମାସରେ ରାଜ୍ୟ ତମାମ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ହୋଇଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଅକ୍ଟୋବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କହିଛନ୍ତି ଯେ, ଧାର୍ମିକ ସମାରୋହ ପାଳନରେ କଟକଣା ରହିନଥିବାରୁ ଲୋକ ଏକଜୁଟ ହେଉଛନ୍ତି ଓ ତାହା ଦେଶର କେତେକ ସ୍ଥାନରେ ସଂକ୍ରମଣ ହାରକୁ ବୃଦ୍ଧି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚଳିତ ପୂଜା ଓ ପାର୍ବଣରେ କେତେକ କଟକଣା ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପୂଜାରେ ଲୋକଙ୍କ ଏକଜୁଟ ଯୋଗୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରି ଗାଇଡଲାଇନ୍ ଜାରି କରିଛନ୍ତି।