ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୨/୨୦୨୦ : ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ଵାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି । ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୧ରୁ ସକାଳ ୬ଟା ଯାଏଁ ଏହି କଟକଣା ରହିବ। ସର୍ବସାଧାରଣ ସ୍ଥାନରେ ଗହଳି କରିପାରିବେନି ଓ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏହି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ନୂଆ କରୋନା ଭୂତାଣୁ ଠାବ ହୋଇଛି । ସେଥିପାଇଁ ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଦେଶକୁ ଯେଉଁ ବ୍ରିଟେନ ଫେରନ୍ତା ଫେରିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ପତ୍ତା ମିଳିନାହିଁ । ଏହି ସ୍ଥିତିରେ ଜିରୋନାଇଟ୍ ସେଲିବ୍ରେସନ ହୁଏତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ସେଥିପାଇଁ ନୂଆବର୍ଷ ପାର୍ଟି, ମଧ୍ୟରାତ୍ରୀ କାର୍ୟ୍ୟକ୍ରମ ଉପରେ କଟକଣା ଜାରି କରିଥିବା କୁହାଯାଉଛି ।