ନ୍ୟୁଜ୍

ଶପଥ ନେଲେ ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ।

ସତ୍ୟଶିଖା ୧୨/୦୯/୨୦୨୫ : ସିପି ରାଧାକ୍ରିଷ୍ଣନଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ।

୪୫୨ ଭୋଟ ପାଇ ଉପରାଷ୍ଟ୍ରପତି ଭାବେ ସେ ନିର୍ବାଚିତ ହୋଇଥିବା ବେଳେ ବିରୋଧୀ ପ୍ରାର୍ଥୀ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ମାତ୍ର ୩୦୦ଟି ଭୋଟ ପାଇଥିଲେ । ଆଗାମୀ ୫ବର୍ଷ ଯାଏ ଉପରାଷ୍ଟ୍ରପତି ଭାବେ ତୁଲାଇବେ କାର୍ଯ୍ୟଭାର । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ ।

ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ପୂର୍ବରୁ ଝାରଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ରାଜ୍ୟପାଳ ଥିଲେ । ୧୯୯୮, ୧୯୯୯ରେ କୋଏମ୍ବାଟୁରରୁ ସାଂସଦ ଥିଲେ । ତାମିଲନାଡୁର ପୋଖତ୍‌ ରାଜନେତା । ୪୦ବର୍ଷର ଦୀର୍ଘ ରାଜନୈତିକ କ୍ୟାରିୟର । ୧୬ ବର୍ଷ ବୟସରୁ ଆରଏସଏସରେ ସାମିଲ ହୋଇଥିଲେ ।

ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍‌ ‘ଇଣ୍ଡି’ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ କରିଥିଲେ । ରାଧାକ୍ରିଷ୍ଣନ୍‌ଙ୍କୁ ୪୫୨ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ରେଡ୍ଡୀଙ୍କୁ ୩୦୦ ଭୋଟ୍‌ ମିଳିଥିଲା । ୧୫ଟି ଭୋଟ୍‌କୁ ନାକଚ କରାଯାଇଥିଲା । ସେପଟେ ନିର୍ବାଚନରେ ଅତି କମ୍‌ରେ ୧୪ ଜଣ ବିରୋଧୀ ସାଂସଦ ଏନ୍‌ଡିଏ ସପକ୍ଷରେ କ୍ରସ୍‌ ଭୋଟିଂ କରିଥିବା ଆକଳନ କରାଯାଉଛି ।

କାରଣ ଏନ୍‌ଡିଏ ନିକଟରେ ୪୨୭ଜଣ ସାଂସଦ ଥିଲେ । ୱାଇଏସଆର୍‌ କଂଗ୍ରେସର ୧୧ଜଣ ସାଂସଦ ଏନ୍‌ଡିଏକୁ ସମର୍ଥନ ଦେଇଥିଲେ । ଏହାକୁ ମିଶାଇ ଏନ୍‌ଡିଏର ମୋଟ ୪୩୮ ଖଣ୍ଡ ଭୋଟ୍‌ ହେବା କଥା । କିନ୍ତୁ ରାଧାକ୍ରିଷ୍ଣନ୍‌ଙ୍କୁ ଅଧିକ ୧୪ ଖଣ୍ଡ ଅର୍ଥାତ୍‌ ୪୫୨ ଭୋଟ୍‌ ମିଳିଛି । ଏଭଳିସ୍ଥଳରେ ବିରୋଧୀ ଦଳ ପକ୍ଷରୁ ୧୪ଟି କ୍ରସ୍‌ ଭୋଟିଂ ହେବା ସହ କିଛି ବିରୋଧୀ ସାଂସଦ ଜାଣିଶୁଣି ଅମାନ୍ୟ ଭୋଟ୍‌ ଦେଇଥିବା ବିଜେପି ଦାବି କରିଛି ।

Show More
Back to top button