Uncategorizedରାଜ୍ୟ

ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ନୂଆ ଷ୍ଟ୍ରାଟେଜି:ଗଣ୍ଡମୁଣ୍ଡା ମୁଖ୍ୟନାଳରୁ ବୋଟ୍ ଯୋଗେ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ ଅଗ୍ନିଶମ ବାହିନୀ

ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ .୨୦୨୧: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗତକାଲି ଡ୍ରେନରେ ଭାସିଯାଇ ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ଏଯାଏ କୌଣସି ପତ୍ତା ମିଳିନାହିଁ । ଗତକାଲି ଦୀର୍ଘ ସମୟ ଧରି ଜ୍ୟୋତିଙ୍କ ସନ୍ଧାନ କରି ନିରାଶ ହୋଇଥିବା ଅଗ୍ନିଶମ ବାହିନୀ ଆଜି ନୂଆ ଷ୍ଟ୍ରାଟେଜି ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ।  ଅପରପକ୍ଷେ ପୁଅର ଫେରିବା ବାଟକୁ ଅନାଇ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ୧୦ଟା ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମାତ୍ର ଜ୍ୟୋତିଙ୍କ ପତ୍ତା ମିଳି ନ ଥିଲା।  ଆଜି  ଉଦ୍ଧାର କାର୍ଯ୍ୟରେ ବୋଟ୍ ନିୟୋଜିତ ହେବ ବୋଲି ଜଣାପଡ଼ିଛି ।  ଗତକାଲି ଯେଉଁଠି ଜ୍ୟୋତି ନିଖୋଜ ହୋଇଥିଲେ ସେ ସ୍ଥାନରେ ନୁହେଁ ବରଂ ଗଣ୍ଡମୁଣ୍ଡା ମୁଖ୍ୟନାଳରୁ ବୋଟ୍ ଯୋଗେ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ ଅଗ୍ନିଶମ ବାହିନୀ  ।

ଗଣ୍ଡମୁଣ୍ଡା ନିକଟରେ ଗୋଟିଏ ମୃତ ଶରୀର ଭାସୁଥିବାର କିଛି ଲୋକ ଦେଖିଥିବା କହିଥିବା ସୂଚନା ମିଳିଛି । ଏହି କାରଣରୁ ସେଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ  କରିବା ନେଇ ଅଗ୍ନିଶମ ବାହିନୀ ଯୋଜନା ରଖିଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ,  ଗତକାଲି ଅପରାହ୍ନ ୨ଟାରେ ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଯାଇଥିଲେ ଶତାବ୍ଦୀନଗରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା  । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିଲେ । ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିବା ବେଳେ ଏଯାଏ ଜ୍ୟୋତିଙ୍କର ପତ୍ତା ମିଳିନାହିଁ  । ଗତକାଲି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ବି ତାଙ୍କର କିଛି ପତ୍ତା ପାଇପାରି ନାହାନ୍ତି।

Show More
Back to top button