ସତ୍ୟଶିଖା (ଭୁବନେଶ୍ୱର) ୦୧/୦୧/୨୦୨୧ : ୨୦୨୧ ନୂଆ ବର୍ଷ ଆରମ୍ଭ ସହ ବଦଳିଯିବ ଅନେକ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡ଼ିବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ । ଜାଣନ୍ତୁ ୨୦୨୧ ଜାନୁଆରୀ ପହିଲାରୁ କେଉଁ ସବୁ ନିୟମ ବଦଳିବ…
ବାଇକ୍ ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜାନୁଆରୀ ପହିଲାରୁ କଡାକଡି ହେବ ହେଲମେଟ୍ ଚେକିଂ ସହ କାଗଜପତ୍ର ଯାଞ୍ଚ । କଠୋର ଭାବେ କାର୍ଯ୍ୟକାରୀ ହେବ ଆଇନ୍ । ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଏଥିରେ ଖିଲାପ ହେଲେ ମୋଟା ଅଙ୍କର ତଣ୍ଡ ଗଣିବା ସହିତ ଲାଇସେନ୍ସ ବି ବାତିଲ ହେବ। ଆଇନ ଅନୁଯାୟୀ ଦଣ୍ଡ ମିଳିବ ।
ଜିଓରୁ ଅନ୍ୟ ନେଟୱାର୍କକୁ ଭଏସ କଲ୍ ଫ୍ରି
ଜିଓ ଗ୍ରାହକଙ୍କ ପାଇଁ ଖୁସିର ଖବର । ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ନେଟୱାର୍କକୁ ଭଏସ କଲ୍ ଫ୍ରି । ପ୍ରାୟ ଗୋଟିଏ ବର୍ଷ ପରେ ଜିଓ ପକ୍ଷରୁ ଗ୍ରାହକଙ୍କୁ ପୁଣି ଯୋଗାଇ ଦିଆଯିବ ଏହି ସୁବିଧା । ଏବେ ଜିଓ ଗ୍ରାହକଙ୍କୁ ପ୍ରତି ମିନିଟ୍ ପିଛା ୬ ପଇସା ଦେବାକୁ ପଡୁଛି ।
ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ୍ କଲେ ଲଗାଇବେ ଜିରୋ
ଜାନୁଆରୀ ପହିଲାରୁ ଆପଣ ଲ୍ୟାଣ୍ଡଲାଇନରୁ କୌଣସି ମୋବାଇଲକୁ କଲ୍ କଲେ ତା ପୂର୍ବରୁ ଆପଣଙ୍କୁ ୦ ଲଗାଇବାକୁ ହେବ । ବିନା ଜିରୋ ଲଗାଇ ଆପଣ କଲ୍ କରିପାରିବେ ନାହିଁ ।
ଫାସଟ୍ୟାଗ୍ ଲାଗୁ ବାଧ୍ୟତାମୂଳକ
୨୦୨୧ ଜାନୁଆରୀ ପହିଲାରୁ ସମସ୍ତ ୪ ଚକିଆ ଗାଡିରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ ନିୟମ ଥିଲା । ତେବେ ଏହାର ଅବଧିକୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ବିନା ଫାସଟ୍ୟାଗ୍ ରେ ନ୍ୟାସନାଲ ହାଇୱେ ଟୋଲ୍ ପାର୍ କଲେ ଗଣିବାକୁ ପଡିବ ତଣ୍ଡ । ବର୍ତ୍ତମାନ ସମସ୍ତ ଟୋଲରେ ୮୦ ପ୍ରତିଶତ ଲାଇନକୁ ଫାସଟ୍ୟାଗ ଓ ୨୦ ପ୍ରତିଶତ ଲାଇନକୁ କ୍ୟାସରେ ବ୍ୟବହାର କରାଯାଉଛି।
ଚେକ୍ ପେମେଣ୍ଟ ନିୟମ
ଜାନୁଆରୀ ପହିଲାରୁ ମୋଟା ଅଙ୍କର ଚେକ୍ ପାଇଁ ପଜିଟିଭ୍ ପେ ବ୍ୟବସ୍ଥା ହେବ ଲାଗୁ । ନୂଆ ନିୟମ ଅନୁସାରେ ୫୦ ହଜାର କିମ୍ବା ଅଧିକ ପେମେଣ୍ଟ ଉପରେ କିଛି ଜରୁରୀ ସୂଚନାକୁ ପୁନଃ କନଫର୍ମ କରିବାକୁ ହେବ। ତେବେ ଏହା ଆକାଉଣ୍ଟ ହୋଲ୍ଡର ଉପରେ ନିର୍ଭର କରିବ ସେ ଏହି ସୁବିଧାର ଲାଭ ନେବେ କି ନାହିଁ ।
କଣ୍ଟ୍ରାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକ୍ସନ
ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୧ ଜାନୁଆରୀ ପହିଲାରୁ କଣ୍ଟ୍ରାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକ୍ସନ ଲିମିଟକୁ ୨ ହଜାରୁ ୫ ହଜାର ଟଙ୍କା ବଢାଇ ଦେଇଛନ୍ତି । ଡେବିଟ୍ ଓ କ୍ରେଡିଟ୍ କାର୍ଡରୁ ୫ ହଜାର ଟଙ୍କାର ପେମେଣ୍ଟ ପାଇଁ ପିନ୍ ଦେବାକୁ ପଡିବନି ।
ମ୍ୟୁଚୁଆଲ ଫଣ୍ଡ ନିବେଶ ପାଇଁ ବଦଳିବ ନିୟମ
ସେବି ମଲ୍ଟିକ୍ୟାପ୍ ମ୍ୟୁଚୁଆଲ ଫଣ୍ଡ ପାଇଁ ଆସେଟ୍ ଆଲୋକେସନ ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ମୁତାବକ ଏବେ ଫଣ୍ଡସର ୭୫ ପ୍ରତିଶତ ଭାଗ ଇକ୍ୟୁଟିରେ ନିବେଶ କରିବା ଜରୁରୀ । ଯାହାକି ବର୍ତ୍ତମାନ ୬୫ ପ୍ରତିଶତ ରହିଛି । ସେବି ନୂଆ ନିୟମ ଅନୁସାରେ ମଲ୍ଟିକ୍ୟାପ୍ ଫଣ୍ଡସର ଷ୍ଟ୍ରକଚରରେ ପରିବର୍ତ୍ତନ ହେବ।
ୟୁପିଆଇ ପେମେଣ୍ଟରେ ହେବ ପରିବର୍ତ୍ତନ
ଜାନୁଆରୀ ପହିଲାରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ମହଙ୍ଗା ହୋଇଯିବ । ଥାର୍ଡ ପାର୍ଟି ପକ୍ଷରୁ ଚଲାଯାଉଥିବା ଆପ୍ସରେ ଏକ୍ସଟ୍ରା ଚାର୍ଜ ଲଗାଯିବ ବୋଲି ଘୋଷଣା କରାଯାଇଛି । ନ୍ୟାସନାଲ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିର୍ଣ୍ଣୟ ନିଆଯାଇଛି ।
ବଦଳିବ ଜିଏସଟି ରିଟର୍ଣ୍ଣ ନିୟମ
ଦେଶରେ କ୍ଷୁଦ୍ର କାରବାର କରୁଥିବା ବ୍ୟବସାୟୀଙ୍କୁ ସରଳ, ତ୍ରୈମାସିକ ଜିଏସଟି ରିଟର୍ଣ୍ଣ ଫାଇଲିଂ ସୁବିଧା ମିଳିବ। ନୂଆ ନିୟମ ଅନୁସାରେ ଯେଉଁ କାରବାରୀଙ୍କ ଟର୍ଣ୍ଣଓଭର ୫ କୋଟି ଟଙ୍କାରୁ କମ୍ ରହିଛି, ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବା ଜରୁରୀ ହେବ ନାହିଁ । ନୂଆ ନିୟମ ଲାଗୁ ହେବା ପରେ କରଦାତାଙ୍କୁ କେବଳ ୮ଟି ରିଟର୍ଣ୍ଣ କରିବାକୁ ହେବ । ଏଥିରେ ଫୋର ଜିଏସଟିଆର ଥ୍ରି ଓ ଫୋର ଜିଏସଟିଆର ୱାନ୍ ରିଟର୍ଣ୍ଣ କରିବାକୁ ପଡିବ ।
ସରଳ ଜୀବନ ବୀମା ପଲିସିର ହେବ ଲଞ୍ଚ
ଜାନୁଆରୀ ପହିଲାରୁ କମ୍ ପ୍ରିମିୟମରେ ବୀମା କିଣିପାରିବେ । ଆଇ ଆରଡିଏଆଇ ସମସ୍ତ କମ୍ପାନୀଙ୍କୁ ସରଳ ଜୀବନ ବୀମା ଲଞ୍ଚ୍ କରିବାକୁ କହିଛି ।