

ସତ୍ୟଶିଖା( ନୂଆଦିଲ୍ଲୀ )୨୪.୦୨.୨୦୨୨ : ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ରାଜଧାନୀ କିଭରେ ମଧ୍ୟ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଖାର୍କିଭରେ ହୋଇଥିବା ବିସ୍ଫୋରଣ ବିଷୟରେ ମଧ୍ୟ ସୂଚନା ମିଳିଛି । କ୍ରାମାଟେରସ୍କ, ବର୍ଡିୟାନ୍ସକ ଏବଂ ନିକୋଲାଏଭ ସହରରେ ବିସ୍ଫୋରଣ ମଧ୍ୟ ହୋଇଛି । ତେବେ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ଏନେଇ ୟୁକ୍ରେନର ବୈଦେଶୀକ ମନ୍ତ୍ରୀ ଦିମିତ୍ରୋ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୁଟିନ ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହରଗୁଡ଼ିକ ଆକ୍ରମଣର ଶିକାର ହୋଇଛି । ଏହା ଏକ ଆକ୍ରୋଶର ଯୁଦ୍ଧ । ଏଭଳି ପରିସ୍ଥିତିରେ ୟୁକ୍ରେନ ନିଜକୁ ରକ୍ଷା କରିବ ଏବଂ ଜିତିବ । ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ଦ୍ୱାରା ଅନେକ ସ୍ଥାନକୁ ଟାର୍ଗେଟ କରିଛି ଋଷ ।