

ସତ୍ୟଶିଖା ( ଭୁବନେଶ୍ୱର ) ୦୧ /୧୨ /୨୦୨୧: ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ପ୍ରଥମଥର ପାଇଁ କେବଳ ଓଡ଼ିଆ ଗୀତକୁ ନେଇ ଓଡ଼ିଶାର ଏକ ନୂଆ ମ୍ୟୁଜିକ୍ ରିଅଲିଟି ସୋ’ ‘ଓଡ଼ିଶା ସୁପର୍ ସିଙ୍ଗର୍’ ଆରମ୍ଭ କରୁଛି। ଏଥିରେ ଓଡ଼ିଶାର ୧୫ ବର୍ଷ ବୟସରୁ ଅଧିକ ବୟସର ପ୍ରତିଯୋଗୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ।
ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ଏବଂ ରାଉରକେଲା ପରି ପାଞ୍ଚଟି ସ୍ଥାନରେ କଣ୍ଠ ପରୀକ୍ଷା କରାଯିବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ ପ୍ରଥମେ ନିଜର ଏକ ମିନିଟ୍ର ଗୀତ ଗାଉଥିବାର ଭିଡିଓ ହ୍ବାଟ୍ସଆପ୍ ନଂ-୮୦୯୩୦୯୦୬୦୬ରେ ପଠାଇବେ। ଏଥି ମଧ୍ୟରୁ ଯେଉଁ ପ୍ରତିଭାବାନ୍ ପ୍ରତିଯୋଗୀଙ୍କୁ ଚୟନ କରାଯିବ, ସେମାନଙ୍କୁ ନିର୍ଦ୍ଧାରିତ ତାରିଖ ଓ ଠିକଣାରେ ଅଡିସନ୍ ପାଇଁ ଯୋଗାଯୋଗ କରାଯିବ। ପ୍ରତିଯୋଗୀମାନେ ଚାହିଲେ ନିର୍ଦ୍ଧାରିତ ତାରିଖରେ ଅଡିସନ୍ ହେବାକୁ ଥିବା ଠିକଣାରେ ପହଞ୍ଚିବା ପରେ ମଧ୍ୟ ନାମ ରେଜିଷ୍ଟ୍ରେସନ୍ କରିପାରିବେ।
ନିକଟରେ ‘ଓଡ଼ିଶା ସୁପର୍ ସିଙ୍ଗର୍’ର ଏକ ପ୍ରୋମୋ ରିଲିଜ୍ ହୋଇଛି ଯେଉଁଥିରେ ଓଲିଉଡ୍ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବଂ ଗାୟକ ଅଭିଜିତଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି ଦାଶଙ୍କୁ ଦେଖିବାକୁ ମିଳିଛି। ଦୀପ୍ତିରେଖା, ଅନ୍ତରା ଏବଂ ଅଭିଜିତଙ୍କୁ ଏହି ରିଅଲିଟି ସୋ’ରେ ବିଚାରକ ଭାବେ ଏବଂ ତୃପ୍ତି ଦାଶଙ୍କୁ ମହାଗୁରୁ ଭାବେ ଦେଖିବାକୁ ମିଳିବ। ଏହି ସୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବାକୁ ହେବ। ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକ ଆକର୍ଷଣୀୟ ଉପହାର ମିଳିବ।