ସତ୍ୟଶିଖା ୩୦/୧୨/୨୦୨୦ : ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ କମ୍ପାନି ୱେସ୍କୋ ଓ ସାଉଥ୍କୋର ମାଲିକାନା ବଦଳିଯିବ । ସେସୁକୁ ହାତେଇବାର ୬ ମାସରେ ଟାଟା ପାୱାର କମ୍ପାନି ଲିମିଟେଡ୍ ନିକଟକୁ ଚାଲିଯିବ ରାଜ୍ୟର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ପକ୍ଷରୁ ଏ ନେଇ ରାୟ ଦିଆଯାଇଛି । ଉକ୍ତ ଦୁଇ ସଂସ୍ଥାର ପରିଚାଳନା ପାଇଁ ସ୍ପେସାଲ ପର୍ପୋଜ ଭେଇକିଲ୍ (ଏସପିଭି) ଗଠନ ହେବ । ଏଥିରେ ଟାଟା ପାୱାର କମ୍ପାନି ଲିମିଟେଡର ୫୧ ପ୍ରତିଶତ ଏବଂ ଗ୍ରିଡ୍କୋ ମାଧ୍ୟମରେ ଓଡ଼ିଶା ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ରହିବ । ଚଳିତ ମାସ ୪ ତାରିଖରେ ଗ୍ରିଡ୍କୋକୁ ଏସପିଭି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି । ଏସ୍ପିଭି ଗଠନ ପରେ ସାଉଥ୍କୋ ଏବଂ ୱେସ୍କୋର ଲାଇସେନ୍ସ ଟାଟା ପାୱାରକୁ ହସ୍ତାନ୍ତର କରାଯିବ । ସାଉଥ୍କୋ ପାଇଁ ଗଠିତ ହେବାକୁ ଥିବା ଏସ୍ପିଭିର ନାମ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ବା ଟିପିସିଓଡିଏଲ୍ ରଖାଯାଇଛି । ସାଉଥ୍କୋର ମୂଲ୍ୟ ୨୫୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ତେଣୁ ୫୧ ପ୍ରତିଶତ ଅଂଶଧନ ପାଇଁ ଟାଟା ପାୱାରକୁ ୧୨୭ କୋଟି ଟଙ୍କା ଦେବାକୁ ପଡ଼ିବ । ତେବେ ଟାଟା ପାୱାର ପକ୍ଷରୁ ଏହି ଅର୍ଥ ଓଇଆର୍ସି ନିକଟରେ ଜମା କରାଯାଇଛି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ୱେସ୍କୋ ଏବଂ ସାଉଥ୍କୋ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଟାଟା ପାୱାର ଆସନ୍ତା ୫ଟି ଆର୍ଥିକ ବର୍ଷରେ ୨୮୨୯ କୋଟି ଟଙ୍କା ପୁଞ୍ଜି ବ୍ୟୟ ବାବଦରେ ନିବେଶ କରିବ । ଏଥିରୁ ୱେସ୍କୋ ଅଞ୍ଚଳରେ ୧୬୬୩ କୋଟି ଏବଂ ସାଉଥ୍କୋ ଅଞ୍ଚଳରେ ୧୧୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ । ସେହିଭଳି ୱେସ୍କୋ ଓ ସାଉଥ୍କୋ ଅଞ୍ଚଳରୁ ଟାଟା ପାୱାର ଆସନ୍ତା ୫ ବର୍ଷରେ ୪୦୦ କୋଟି ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ବାବଦ ରାଶି ଆଦାୟ କରିବ । ବିଦ୍ୟୁତ୍ ବଣ୍ଟନରେ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ସାଉଥ୍କୋ ଅଞ୍ଚଳରେ ୩୫.୨୯ ପ୍ରତିଶତ ଏବଂ ୱେସ୍କୋ ଅଞ୍ଚଳରେ ୨୭.୫୬ ପ୍ରତିଶତ ରହିଛି । ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନି ଏହି କ୍ଷତିକୁ ଯଥାକ୍ରମେ ୧୪.୬୦ ପ୍ରତିଶତ ଏବଂ ୯.୦୮ ପ୍ରତିଶତକୁ କମାଇବାର ଦୃଢ଼ ପ୍ରତିଶ୍ରୁତି ଦେଇଛି । ୱେସ୍କୋ ଓ ସାଉଥ୍କୋର ପରିଚାଳନା ପାଇଁ ଟାଟା ପାୱାରକୁ ଅନେକ ସର୍ତ୍ତ ପାଳନ କରିବାକୁ ହେବ । ଏହି ସର୍ତ୍ତାବଳିରେ କମ୍ପାନିର ପରିଚାଳନାଠାରୁ ଆରମ୍ଭ କରି କର୍ମଚାରୀଙ୍କ ନିଯୁକ୍ତି, ପ୍ରଦର୍ଶନ ଏବଂ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଆଦି ହ୍ରାସ ସଂପର୍କରେ ଉଲ୍ଲେଖ କରାଯାଇଛି । ଓଇଆର୍ସିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ସାଉଥକୋରେ ଏବେ କାର୍ଯ୍ୟରତ କର୍ମଚାରୀମାନେ ଟାଟା ପାୱାର ଅଧୀନକୁ ଯିବେ । ଟାଟା ପାୱାର ଅଧୀନକୁ ଯିବାପରେ କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତାବଳିକୁ କୌଣସି ପ୍ରକାରେ ବର୍ତ୍ତମାନର ଚାକିରି ସର୍ତ୍ତାବଳୀଠାରୁ ଖରାପ କରାଯାଇ ପାରିବ ନାହିଁ । ଓଇଆରସିଙ୍କ ରାୟରୁ ସୂଚନା ମିଳିଛି ଯେ ସାଉଥକୋର ମୋଟ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଏବେ ୩୫.୨୯ ପ୍ରତିଶତ ରହିଛି ।
ଏହି କ୍ଷତିକୁ ଆସନ୍ତା ୧୦ ବର୍ଷ ଭିତରେ ୧୪.୮୦ ପ୍ରତିଶତକୁ କମାଯିବ । ଅର୍ଥାତ୍ ୧୦ ବର୍ଷ ଭିତରେ ସାଉଥ୍କୋର ଏଟି ଆଣ୍ଡ ସି କ୍ଷତି ୨୦.୪୯ ପ୍ରତିଶତ ହ୍ରାସ ପାଇବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି । ଏଥି ସହିତ ସାଉଥ୍କୋର ବିକାଶ ପାଇଁ ଟାଟା ପାୱାର ଆସନ୍ତା ୫ ବର୍ଷ ଭିତରେ ୧୧୬୬ କୋଟି ଟଙ୍କା ପୁଞ୍ଜି ବ୍ୟୟ ଆକାରରେ ଖଟାଇବ । ୨୦୨୧-୨୨ ଆର୍ଥିକ ବର୍ଷରେ ୨୨୭ କୋଟି, ୨୦୨୨-୨୩ରେ ୩୧୬ କୋଟି, ୨୦୦୩-୨୪ରେ ୨୪୧ କୋଟି, ୨୦୨୪-୨୫ରେ ୨୩୩ କୋଟି ଏବଂ ୨୦୨୫-୨୬ରେ ୧୫୦ କୋଟି ଟଙ୍କା ନିବେଶ କରିବ । ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସୁରକ୍ଷାକୁ ସୁଦୃଢ଼ କରିବା ସହିତ ବୈଷୟିକ ଉନ୍ନତି ଏବଂ କ୍ଷତି ହ୍ରାସ ବାବଦରେ ଉକ୍ତ ପୁଞ୍ଜିରାଶି ସାଉଥ୍କୋରେ ଟାଟା ପାୱାର ବିନିଯୋଗ କରିବ । କେବଳ ସେତିକି ନୁହେଁ; ଆସନ୍ତା ୫ ବର୍ଷ ମଧ୍ୟରେ ଟାଟା ପାୱାର ସାଉଥକୋ ଅଧୀନ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ବାକି ପଡ଼ିଥିବା ରାଶି ମଧ୍ୟରୁ ୧୦୦ କୋଟି ଟଙ୍କା ଆଦାୟ କରିବ ।
ସେହିଭଳି ୱେସ୍କୋର ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ୨୭.୫୬ ପ୍ରତିଶତ ରହିଥିବାବେଳେ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହାକୁ କମ୍ପାନି ୯.୦୮ ପ୍ରତିଶତକୁ କମାଇବା ପାଇଁ ପ୍ରସ୍ତାବ ଦେଇଛି ବୋଲି ଓଇଆରସି ପକ୍ଷରୁ କୁହାଯାଇଛି । ଅର୍ଥାତ୍ ୧୦ ବର୍ଷ ମଧ୍ୟରେ ଟାଟା ପାୱାର ୱେସ୍କୋର ଏଟି ଆଣ୍ଡ ସି କ୍ଷତିରେ ୧୮.୪୮ ପ୍ରତିଶତ ହ୍ରାସ ଆଣିବା ହିସାବ ଦେଇଛି । ସେହିଭଳି ୱେସ୍କୋ ଅଞ୍ଚଳରେ ବିଦ୍ୟୁତ୍ ବଣ୍ଟନ ଭିତ୍ତିଭୂମିରେ ବିକାଶ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆସନ୍ତା ୫ ବର୍ଷ ଭିତରେ ଟାଟା ପାୱାର ୧୬୬୩ କୋଟି ଟଙ୍କା ନିବେଶ କରିବାର ପ୍ରସ୍ତାବ ଦେଇଛି । ଏଥିରୁ କମ୍ପାନି ୨୦୨୧-୨୨ ଆଥିକ ବର୍ଷରେ ୩୦୬ କୋଟି, ୨୦୨୨-୨୩ରେ ୫୦୦ କୋଟି, ୨୦୨୩-୨୪ରେ ୩୩୩ କୋଟି, ୨୦୨୪-୨୫ରେ ୩୨୨ କୋଟି ଏବଂ ୨୦୨୫-୨୬ରେ ୨୦୨ କୋଟି ନିବେଶ କରିବାର ପ୍ରସ୍ତାବ ରଖିଛି ।
କେବଳ ସେତିକି ନୁହେଁ କମ୍ପାନି ବକେୟା ବିଦ୍ୟୁତ୍ ବିଲ୍ ଆଦାୟରେ ମଧ୍ୟ ପାରଦର୍ଶିତା ଆଣିବ । ଆସନ୍ତା ୫ ବର୍ଷ ମଧ୍ୟରେ ୱେସ୍କୋ ଅଞ୍ଚଳରୁ ଟାଟା ପାୱାର ୩୦୦ କୋଟି ଟଙ୍କାର ବକେୟା ଆଦାୟ କରିବ ବୋଲି କୁହାଯାଇଛି । ଗ୍ରିଡକୋ ଏବଂ ସାଉଥ୍କୋ ଅଞ୍ଚଳ ପାଇଁ ଗଠିତ ସାଉଥ୍ ଓଡ଼ିଶା ପାୱାର କମ୍ପାନି ଲିମିଟେଡ ମଧ୍ୟରେ ହେବାକୁ ଥିବା ବିଜୁଳି କ୍ରୟ ରାଜିନାମା ଅନୁସାରେ ବିଦ୍ୟୁତ କିଣାଯିବ । କର୍ମଚାରୀ, ଖାଉଟି, ବିଦ୍ୟୁତ ଯୋଗାଣକାରୀ ଏବଂ ବୈଧାନିକ ସଂସ୍ଥା ଆଦିକୁ ଦୁଇ କମ୍ପାନି ୱେସ୍କୋ ଓ ସାଉଥ୍କୋ ଯାହା ଦେବାକୁ ଅଛି କିମ୍ବା ପାଇବାକୁ ଅଛି ତାହା ଲାଇସେନ୍ସ ହାସଲକାରୀ କମ୍ପାନି ନିକଟକୁ ଯିବ । ୱେସ୍କୋ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଓଇଆରସିର ଏହି ରାୟ ପରେ ଟାଟା ପାୱାର ହାତକୁ ଉପକୂଳ ଏବଂ ମଧ୍ୟ ଓଡ଼ିଶା ପରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଜୁଳି ବଣ୍ଟନ ଦାୟିତ୍ବ ଯାଇଛି । ୱେସ୍କୋ ଅଧୀନରେ ଥିବା ୫ଟି ବିଦ୍ୟୁତ୍ ସର୍କଲ ଯଥା ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼ ଯାଇଥିବାବେଳେ ସାଉଥକୋ ଅଧୀନରେ ଥିବା ୬ଟି ବିଦ୍ୟୁତ୍ ସର୍କଲ ଯଥା ଗଞ୍ଜାମ ସିଟି, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ଜୟପୁର ଏବଂ ରାୟଗଡ଼ା ସର୍କଲ ଯାଇଛି ।