ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ, ବ୍ରିଟେନ୍‌କୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ

ସତ୍ୟଶିଖା (ନୂଆଦିଲ୍ଲୀ) ୨୪ /୧୨/୨୦୨୦ : ବ୍ରିଟେନ୍‌ରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ବିଶ୍ବବ୍ୟାପୀ ଭୟ ସୃଷ୍ଟି କରିଛି । ପୂର୍ବ କରୋନାଭୂତାଣୁ ତୁଳନାରେ ନୂଆ ଭୂତାଣୁ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଅତି ସହଜରେ ସଂକ୍ରମିତ କରିପାରୁଛି । ବିଭିନ୍ନ ରାଷ୍ଟ୍ରରେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣା ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା ୪୦ରୁ୍ ଅଧିକ ରାଷ୍ଟ୍ର ବ୍ରିଟେନ୍‌କୁ ବିମାନ ସେବା ବାତିଲ କରିଥିବା ଜଣାପଡ଼ିଛି । ୬ଟି ୟୁରୋପୀୟ ରାଷ୍ଟ୍ର ଇଟାଲି, ବେଲଜିୟମ, ଆଇସଲାଣ୍ଡ୍‌ , ଡେନମାର୍କ, ନେଦରଲାଣ୍ଡ୍‌ ଏବଂ ଜର୍ମାନୀରେ ମଧ୍ୟ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେହିପରି ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ନୂଆ ଭୂତାଣୁ ଚିହ୍ନଟ ହୋଇଥିବାରୁ ନୂଆ କଟକଣା ଜାରି ହୋଇଛି । ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୈଜ୍ଞାନିକମାନେ ମତ ରଖିଛନ୍ତି ଯେ, ନୂଆ କରୋନା ଭୂତାଣୁ ଅଧିକ ବିପଜ୍ଜନକ ବୋଲି କୌଣସି ବଳିଷ୍ଠ ପ୍ରମାଣ ନାହିଁ । ତେବେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରି ଚଳିବାକୁ ହେବ ବୋଲି ‘ ହୁ ’ ଏମର୍ଜେନ୍ସି ମୁଖ୍ୟ ଡ. ରୢାନ୍‌ କହିଛନ୍ତି । ବ୍ରିଟେନ୍‌ରେ ବୈଜ୍ଞାନିକମାନେ ଏହି ନୂଆ ଭୂତ‌ାଣୁର ପ୍ରଭାବକୁ ଭଲଭାବେ ଅଧ୍ୟୟନ କରୁଛନ୍ତି ।ନୂଆ କରୋନା ଭୂତାଣୁ ପାଇଁ ‌ଯେଉଁ ନିୟମ ଲାଗୁ ହୋଇଛି ସେଥିପାଇଁ ଆଜି ଭାରତର ବିଭିନ୍ନ ବିମାନବନ୍ଦରେ ଅଧିକ ଗହଳି ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବ୍ରିଟେନ୍‌ ଫେରନ୍ତା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପହଞ୍ଚିବାପରେ ବାଧ୍ୟତାମୂଳକ କୋଭିଡ୍‌ ଟେଷ୍ଟ୍‌ କରିବାକୁ ପଡ଼ୁଛି । ଏଥିପାଇଁ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। କାମିନୀ ସାରସ୍ବତ ନାମକ ଜଣେ ଯାତ୍ରୀ କହିଛନ୍ତି , ଟେଷ୍ଟ୍‌ ପାଇଁ ସେ ଆଗୁଆ ବୁକିଂ କରିଥିଲେ ମଧ୍ୟ ତାଙ୍କ ବିମାନ ନୂଆଦିଲ୍ଳୀ ବିମାନବନ୍ଦର ଅବତରଣ କରିବାପରେ ତାଙ୍କୁ ୯ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ୯ ଘଣ୍ଟା ପରେ ମଧ୍ୟ ତାଙ୍କ ଟେଷ୍ଟ୍‌ ରିପୋର୍ଟ ଆସିନଥିଲା । ସେହିପରି ମୁମ୍ବାଇରେ ପହଞ୍ଚିଥିବା ଅନ୍ୟ ଜଣେ ଯାତ୍ରୀ କହିଛନ୍ତି, ଗତକାଲି ରାତି ୨ଟାରେ ସେ ଦୁବାଇରୁ ଆସି ମୁମ୍ବାଇ ପହଞ୍ଚିଥିଲେ ମଧ୍ୟ ସେ ଏବଂ ତାଙ୍କ ୩ ଜଣ ପରିବାର ସଦସ୍ୟଙ୍କୁ ଏକ କ୍ବାରାଣ୍ଟିନ୍‌ ସେଣ୍ଟର ପଠାଇାବାଇଁ କର୍ତ୍ତୃପକ୍ଷମାନଙ୍କୁ ୬ ଘଣ୍ଟା ସମୟ ଲାଗିଯାଇଥିଲା । ଦେଶରବିଭିନ୍ନ ଅଂଶରେ ଟେଷ୍ଟିଂ ହୋଇଥିବା ନମୁନାରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ଆଇସିଏମ୍‌ଆର- ନାରି (ନ୍ୟାସନାଲ୍‌ ଏଡ୍ସ ରିସର୍ଚ୍ଚ୍‌ ଇନ‌ଷ୍ଟିଚ୍ୟୁଟ୍‌) ନିର୍ଦ୍ଦେଶକ ଡ. ସମୀରଣ ପଣ୍ଡା କହିଛନ୍ତି । ‌ ଗତ ୬-୭ ମାସ ମଧ୍ୟରେ ୨,୦୦୦ ନମୁନାରେ ଯେଉଁ ଭାଇରାଲ୍‌ ଜେନୋମ୍‌ ଅଧ୍ୟୟନ ହୋଇଥିଲା ସେଥିରେ ମଧ୍ୟ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇନି ବୋଲି ଡ. ପଣ୍ଡା କହିଛନ୍ତି ।

Exit mobile version