ନ୍ୟୁଜ୍

ଅଶାନ୍ତି ନିଆଁରେ ଜଳୁଛି ନେପାଳ l

ସତ୍ୟଶିଖା ୧୨/୦୯/୨୦୨୫ :ନେପାଳରେ ହିଂସା ଓ କ୍ଷମତା ସଙ୍କଟ ମଧ୍ୟରେ ଫସିଥିବା ଲୋକେ ଉଦ୍ଧାର ପାଇଁ କରୁନ୍ତି ଆକୁଳ ନିବେଦନ । ଓଡ଼ିଆଙ୍କ ସମେତ ବହୁ ସଂଖ୍ୟାରେ ଭାରତୀୟ ଏବେବି ଅସୁରକ୍ଷିତ ଭାବେ ନେପାଳରେ ଫସି ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ରାଜନଗର ଅଂଚଳରୁ ବହୁ ଲୋକ ଫସି ରହିଛନ୍ତି। ପରିବାର ଲୋକେ ଅଡିଓ ଓ ଭିଡିଓ କଲ୍ କରି କଥା ହେଉଛନ୍ତି । ହିଂସା ମଧ୍ୟରେ ଫସିରହିଥିବା ଖଡିପାଳ, ବାଲିପାଟଣା, ପୋଖରୀଆପଡା, ତରଡିପାଳ, ଦାଣ୍ଡିସାହି ଅଂଚଳର ଯୁବକଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

ହିଂସା ଥମିଥିଲେ ବି ଜେନ-ଜି ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥବାରୁ ବଢୁଛି ବିପଦ । ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି ହେବା ସହ ପଞ୍ଜିକରଣ ଜାରି ରହିଛି । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ସିକ୍କିମ ବର୍ଡର ଦେଇ ଭାରତୀୟମାନେ ଫେରୁଛନ୍ତି । ହିଂସାକାଣ୍ଡର ସୁଯୋଗ ନେଇ ନେପାଳର ବିଭିନ୍ନ ଜେଲରୁ ଫେରାର ହୋଇଥିବା ୧୫ ହଜାରରୁ ଅଧିକ କଏଦୀ ନେପାଳ ସମେତ ଭାରତ ପାଇଁ ବଢ଼ାଇଛନ୍ତି ବିପତ୍ତି । ଆଜିସୁଦ୍ଧା ବିହାର ଓ ଦର୍ଜିଲିଂ ସୀମାରୁ ୬୦ରୁ ଅଧିକ ନେପାଳୀ କଏଦୀଙ୍କୁ ଅଟକ ରଖାଯାଇଛି । ଭାରତ-ନେପାଳ ୧୭୫୧ କିଲୋମିଟର ସୀମା ଉପରେ ସତର୍କ ନଜର ରଖାଯାଇଛି । ସେନା ପାଟ୍ରୋଲିଂ ଜୋରଦାର ହୋଇଛି। ନେପାଳରେ ଅନ୍ତରୀଣ ସରକାର ଗଠନ ପାଇଁ ଆଉ ପାଦେ ଆଗେଇଛନ୍ତି ରାଷ୍ଟ୍ରପତି ଓ ସେନାମୁଖ୍ୟ ।

୨ ଦିନ ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ପିଏମ କେପି ଶର୍ମା ଓଲୀଙ୍କୁ ନେପାଳ ସେନା ଅଜ୍ଞାତ ସ୍ଥାନକୁ ଉଠାଇ ନେଇଛି । ଜେନ-ଜି ଆନ୍ଦୋଳନକାରୀଙ୍କୁ ଶାନ୍ତି ବଜାୟ ରଖିବା ସହ ଅନ୍ତରୀଣ ସରକାର ଗଠନ ପ୍ରକ୍ରିୟାରେ ସହଯୋଗ ପାଇଁ ଅପିଲ୍ କରିଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ସେନାମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ । ବୈଠକ ପରେ ଜେନ-ଜି ପ୍ରତିନିଧିଙ୍କ ପ୍ରସ୍ତାବ ଅନୁସାରେ ଛାତ୍ର ନେତା କୁଲମନ ଘିସିଂଗ କିମ୍ବା ସୁଶୀଳା କାର୍କିଙ୍କ ଅନ୍ତରୀଣ ସରକାରର ମୁଖ୍ୟ ଘୋଷଣା କରାଯିବା ସମ୍ଭାବନା ରହିଛି । ଦୁର୍ନୀତି ବିରୋଧରେ ଜେନ-ଜି ବିକ୍ଷୋଭ ଉଗ୍ରରୂପ ଧାରଣ କରିବା ସହ ନେପାଳରେ ଅନ୍ତ ହୋଇଛି କମ୍ୟୁନିଷ୍ଟ ଶାସନ । ରାଜନୈତିକ ଅସ୍ଥିରତା ମଧ୍ୟରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଓ ଦୁର୍ନୀତି ବିରୋଧରେ ଜେନ-ଜି ଆନ୍ଦୋଳନ ସଫଳ ହେବାକୁ ଯାଉଛି ।

Show More
Back to top button