ନ୍ୟୁଜ୍ରାଜ୍ୟଶିକ୍ଷାସ୍ୱାସ୍ଥ୍ୟ

ହଷ୍ଟେଲରେ ରହିବାକୁ ନେଗେଟିଭ୍‌ ରିପୋର୍ଟ ଲୋଡ଼ା

ସତ୍ୟଶିଖା (ଭୁବନେଶ୍ୱର) ୦୬/୦୧/୨୦୨୧ : ଜାନୁଆରି ୧୧ରୁ ଖୋଲିବ ଉତ୍କଳ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ସହ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ କରିବାକୁ ଉଭୟ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି । ପିଜି ଶେଷ ସେମିଷ୍ଟର୍‌ ଛାତ୍ରଛାତ୍ରୀ, ପିଏଚ୍‌ଡି ଓ ଏମ୍‌.ଫିଲ୍‌ ଛାତ୍ରଛାତ୍ରୀଙ୍କ କ୍ଲା‌ସରୁମ୍‌ ପାଠପଢ଼ା, ହଷ୍ଟେଲ ଯୋଗାଇବା ଲାଗି ପଦ‌କ୍ଷେପ ନିଆଯାଇଛି । ସମସ୍ତ ହଷ୍ଟେଲକୁ ବିଶୋଧନ କରାଯିବା ସହ ଶଯ୍ୟା ତୁଳନାରେ କମ୍‌ ପିଲାଙ୍କୁ ରହିବା ଲାଗି ସୁଯୋଗ ଦିଆଯିବ । ତେବେ ଉଭୟ ପାଠପଢ଼ା ଓ ହଷ୍ଟେଲରେ ରହିବାକୁ ହେଲେ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ହେବା ଆବଶ୍ୟକ । ରିପୋର୍ଟ ଦାଖଲ କରିବା ପରେ ହିଁ ଅନ୍ତେବାସୀଙ୍କୁ ରହିବା ଲାଗି ଅନୁମତି ଦିଆଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି ।

ଜାନୁଆରି ୧୧ରୁ ଶ୍ରେଣୀଗୃହରେ ଶିକ୍ଷାଦାନ ଆରମ୍ଭ ହେବାକୁ ଥିବା ବେଳେ ୧୦ ତାରିଖରେ ହଷ୍ଟେଲ ଖୋଲିବ । ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପାଖାପାଖି ୧୦ ମାସ ପରେ କ୍ଲାସରୁମ୍‌ ପାଠପଢ଼ା ହେବାକୁ ଥିବାରୁ ବ୍ୟାପକ ବିଚାରବିମର୍ଶ ହୋଇଛି । ସମସ୍ତ ବିଭାଗରେ ସାନିଟାଇଜର୍‌ ମେସିନ୍‌ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ହଷ୍ଟେଲରେ ରହିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ କରିଥିବା ରିପୋର୍ଟ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ହେବ । ଏବେ ହଷ୍ଟେଲରେ କେବଳ ପିଜି ‌ଶେଷ ସେମିଷ୍ଟର୍‌ ପିଲାଙ୍କ ରହିବା ଲାଗି ସୁଯୋଗ ମିଳିବ । ପିଏଚ୍‌ଡି ଓ ଏମ୍‌. ଫିଲ୍‌ ଛାତ୍ରଛାତ୍ରୀ ବି ରହିପାରିବେ । ଥର୍ମାଲ ସ୍କ୍ରିନିଂ ବି ଅନୁଷ୍ଠିତ ହେବ । ଯଦି କୌଣସି ଛାତ୍ରଛାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ, ସଙ୍ଗେସଙ୍ଗେ ପଦକ୍ଷେପ ନିଆଯିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ବସନ୍ତ କୁମାର ମଲ୍ଲିକ କହିଛନ୍ତି ।ଅନ୍ୟପକ୍ଷରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ‌ହୋଇଛି । ଏଥିରେ ଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କୋଭିଡ୍‌ ରିପୋର୍ଟ ଦାଖଲ କରିବାକୁ ମତପ୍ରକାଶ ପାଇଥିଲା । କ୍ୟାମ୍ପସ୍‌ରେ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯିବ । ଉଭୟ ହଷ୍ଟେଲ ଛାତ୍ରୀ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ହଷ୍ଟେଲର ସମସ୍ତ କର୍ମଚାରୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । କୁଳପତି ପ୍ରଫେସର୍‌ ଚୌଧୁରୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ସଫା କରି ପୂର୍ବ ସ୍ଥିତିକୁ ଫେରାଇବା ପାଇଁ ପଦକ୍ଷେପ ନିଆଯାଇଛି । ଛାତ୍ରୀଙ୍କ ସୁରକ୍ଷା ପାଇଁ କୋଭିଡ୍‌ ପରୀକ୍ଷା କରିବାକୁ ଯୋଜନା ରହିଛି ।

Show More
Back to top button