

ସତ୍ୟଶିଖା(ଭୁବନେଶ୍ୱର) ୩୦ .୧୧.୨୦୨୧: ସାରା ବିଶ୍ୱରେ ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ନୂଆ ଭ୍ୟାରିଆଣ୍ଟ ସଂକ୍ରମଣ ଭୟରେ ପ୍ରାୟ ସବୁ ଦେଶ ବିଦେଶ ଫେରନ୍ତାଙ୍କ ଉପରେ କଟକଣା ଜାରି କରିଛନ୍ତି । ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଗତ ୩ ଦିନ ତଳେ ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ସମ୍ପର୍କରେ ସୂଚନା ଦେଲା ପରେ କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଲାଗି ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି । ହେଲେ ଏହି ନୂଆ ଭାରିଆଣ୍ଟ ଗତ ମାସେ ହେଲାଣି ବିଦେଶରେ ଆତଙ୍କ ସୃଷ୍ଟି କରିଛି । ଏପରି ସ୍ଥଳେ ପୁଣି ବିଦେଶୀ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାର ସମୟ ଆସିଛି । ପୂର୍ବରୁ ଓଡ଼ିଶାରେ ଗତ ବର୍ଷ ଡିସେମ୍ବରରେ ବିଦେଶୀ ଫେରନ୍ତା ‘ୟୁକେ’ ଭାରିଆଣ୍ଟ ଭାଇରସରେ ଶିକାର ହେବାର ଖବର ମଳିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଥିଲା ।
ସେତେବେଳେ ରାଜ୍ୟର କୋଣ ଅନୁକୋଣରେ ବିଦେଶୀ ଫେରନ୍ତାଙ୍କୁ ଖୋଜିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଇଥିଲେ। ଏହାବ୍ୟତୀତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଥିଲେ । ରାଜ୍ୟ ସରକାର ଫେରନ୍ତାଙ୍କ ଏକ ସ୍ୱତନ୍ତ୍ର ଲିଷ୍ଟ୍ ଜାରି କରିଥିଲେ । ଫଳରେ ‘ୟୁକେ’ ଭାରିଆଣ୍ଟରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସଂକ୍ରମଣକୁ ରୋକାଯାଇ ପାରିଥିଲା । ହେଲେ ଗତ ୧୫ଦିନ ଭିତରେ ବିଦେଶୀରୁ ରାଜ୍ୟକୁ ଫେରିଥିବା ବିଦେଶୀ ନୂଆ ଭାରିଆଣ୍ଟରେ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇଯାଇ ନପାରେ । କାରଣ ପୂର୍ବଥର ମଧ୍ୟ ‘ୟୁକେ’ ଭାରିଆଣ୍ଟ କ୍ଷେତ୍ରରେ ଠିକ୍ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟକୁ ବିଦେଶୀ ଫେରନ୍ତା ସଂକ୍ରମଣ ଉପରେ ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଦେଶୀ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।
ଏହାବ୍ୟତୀତ ଗତ ୧୪ ଭିତରେ ଫରିଥିବା ବିଦେଶୀ ଚାହିଁଲେ ନିଜର ଟେଷ୍ଟ କରିପାରିବେ । ସ୍ୱାସ୍ଥ୍ୟ ବିଭାଗ ବହୁ ପୂର୍ବରୁ ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଏକ ଏସ୍ଓପି ଜାରି କରିଛି । ଯେଉଁମାନେ ସଂକ୍ରମିତ ହୋଇ ଖୁବ୍ଶୀଘ୍ର ସିଭିୟର ହେଉଛନ୍ତି ବା ଆଇସିୟୁରେ ଭର୍ତ୍ତି ହେଉଛନ୍ତି ଓ ଟିକା ନେଲା ପରେ ସଂକ୍ରମିତ ହେଇଛନ୍ତି । ଏପରି କ୍ଷେତ୍ରରେ ସେମାନଙ୍କ ‘ହୋଲ୍ ଜେନମ୍ ସିକ୍ୱେଏନ୍ସିଂ’ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ‘ହୋଲ୍ ଜେନମ୍ ସିକ୍ୱେଏନ୍ସିଂ’ ପରୀକ୍ଷା ବିଦେଶୀ ଫେରନ୍ତାଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ପାଇଁ ଉଦ୍ଦିଷ୍ଟ ରହିଛି । ତେଣୁ ବର୍ତ୍ତମାନ ଜନସାଧାରଣ ଆତଙ୍କିତ ହେବାରେ କୌଣସି କାରଣ ନାହିଁ ।
ରାଜ୍ୟ ସରକାର ସମସ୍ତ ଦିଗ ଉପରେ ନଜର ରଖିଛନ୍ତି । ସେ ପୁଣି ମଧ୍ୟ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି ନୂଆ ଭାରିୟଣ୍ଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି । ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ, ଭ୍ୟାକ୍ସିନ୍ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ । ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ୧୩ରୁ ଅଧିକ ମ୍ୟୁଟେସନ୍ ରହିଛି ।
ତେଣୁ ସମସ୍ତେ ସତର୍କ ରହିବା ଦରକାର । ଯେଉଁମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ ଆଣିବେ । ଏୟାରପୋର୍ଟରେ ତାଙ୍କ ଟେଷ୍ଟ ହେବ । ନେଗେଟିଭ ଆସିଲେ ବି ସାତ ଦିନ କ୍ୱାରେନଣ୍ଟାଇନ୍ ରହିବେ । ଏୟାରପୋର୍ଟ ଅଥରିଟିକୁ ଆମେ ସବୁଦିନେ ବିଦେଶରୁ ଆସୁଥିବା ଲୋକଙ୍କ ଲିଷ୍ଟ ମାଗୁଛୁ । ପଜିଟିଭ ଆସିଲେ ଜିନୋମ ସିକ୍ୱେଏନ୍ସିଂ ପାଇଁ ଯିବ । ଟିକାକରଣ ବଡ଼ ଅସ୍ତ୍ର । କମ୍ ସମୟ ଭିତରେ ସମସ୍ତଙ୍କୁ ଫାଷ୍ଟ ଡୋଜ୍ ଟିକା ଦିଆଯିବ । ଟିକା ହେଉଛି କୋଭିଡ୍ ବିରୋଧରେ ବଡ଼ ଅସ୍ତ୍ର ।