ସତ୍ୟଶିଖା( ଭୁବନେଶ୍ୱର )୨୯.୦୬. ୨୦୨୨: ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁବାଇରେ ଅଛନ୍ତି । ଆଜି ସେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେଇ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାର ଓ ଫିକ୍କିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ଭାଗ ନେବା ପାଇଁ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍ ଦୁବାଇରେ ପହଞ୍ଚିଥିବା ବେଳେ ଓଡ଼ିଶାର ବହୁ ଶିଳ୍ପ ସଂସ୍ଥାର ପ୍ରତିନିଧି ମଧ୍ୟ ଦୁବାଇରେ ପହଞ୍ଚିଥିବା ସୂଚନା ମିଳିଛି । ଉଚ୍ଚସ୍ତରୀୟ ଟିମ୍ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ସାମିଲ ରହିଛନ୍ତି । ବିଦେଶୀ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ଯେପରି ପୁଞ୍ଜି ନିବେଶ କରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି । ବିଶେଷ କରି ପେଟ୍ରୋ କେମିକାଲ୍ସ, ପ୍ଳାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ଏକ ସଠିକ୍ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଞ୍ଜି ନିବେଶକାରୀଙ୍କୁ ଅବଗତ କରାଇବେ । ପୁଞ୍ଜି ନିବେଶ ପାଇଁ ଥିବୀ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଓ ଜମି ଯୋଗାଣରେ ଯେଉଁ ସବୁ ସୁବିଧା ରହିଛି ସେନେଇ ମତ ମଧ୍ୟ ରଖିବେ ।
ଆଜି ଦୁବାଇରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍, ନିବେଶକଙ୍କ ସହ ଆଲୋଚନା କରିବେ ନବୀନ
