ଜୀବନମନ୍ତ୍ରଦେଶନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କୋଭିଡ୍‌-୧୯ ଟିକାକରଣ ଲାଗି ଆଜି ଦେଶବ୍ୟାପୀ ‘ଡ୍ରାଏ ରନ୍‌’ ଆରମ୍ଭ

ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : ଦେଶବ୍ୟାପୀ କରୋନାଭାଇରସ୍‌ ଟିକାର ଶୁଭାରମ୍ଭ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ‘ଡ୍ରାଏ ରନ୍‌’ ବା ‘ଟିକାକରଣ ପ୍ରକ୍ରିୟାର ପ୍ରାକ୍‌-ଅଭ୍ୟାସ’ ଆରମ୍ଭ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, କୋଭିଡ୍‌-୧୯ ଟିକା ଶୁଭାରମ୍ଭ ନିମନ୍ତେ ‘ଡ୍ରାଏ ରନ୍‌’ କରାଯିବାର ଉଦ୍ଦେଶ୍ୟ ହେଉଛି ‘କୋଭିଡ୍‌ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନ୍‌ସ୍‌ ନେଟ୍‌ଓ୍ଵାର୍କ’ର (ସିଓ-ଓ୍ଵିନ୍‌) ବ୍ୟବହାର ଓ କାର୍ଯ୍ୟକାରିତା ସଂକ୍ରାନ୍ତରେ ଅଭିଜ୍ଞତା ହାସଲ କରିବା । ଏହା ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଟିକାକରଣ ଯୋଜନା ଓ ପ୍ରୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ଏବଂ ଟିକାକରଣର ଅଗ୍ରଗତି ନିମନ୍ତେ ଉପାୟ ସମ୍ବନ୍ଧରେ ଅନେକ କିଛି ଜାଣିହେବ ।ଏହାଛଡ଼ା, ଏହି ‘ପ୍ରାକ୍‌-ଅଭ୍ୟାସ’ ମଧ୍ୟ ବିଭିନ୍ନ ସ୍ତରରେ ‘ପ୍ରୋଗ୍ରାମ୍‌ ମ୍ୟାନେଜର୍‌’ମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶା କରୁଛି । ସମସ୍ତ ରାଜ୍ୟର ରାଜଧାନୀରେ ଅନ୍ୟୂନ ୩ଟି ସେସନ୍‌ ସ୍ଥଳରେ ଏହି ପ୍ରସ୍ତୁତି ଅଭିଯାନର ପ୍ରାକ୍‌-ଅଭ୍ୟାସ ଆୟୋଜନ କରାଯାଉଛି । କେତେକ ରାଜ୍ୟ ମଧ୍ୟ ସେମାନଙ୍କ ଅଞ୍ଚଳରେ ଥିବା ଅଗମ୍ୟ ଇଲାକା ବା ଉତ୍ତମ ପରିବହନ ବ୍ୟବସ୍ଥା ନ ଥିବା ଜିଲ୍ଲାମାନଙ୍କରେ ‘ଡ୍ରାଏ ରନ୍‌’ କରିବେ । ମହାରାଷ୍ଟ୍ର ଓ କେରଳରେ ରାଜଧାନୀ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ସହରରେ ‘ଡ୍ରାଏ ରନ୍‌’ କରିବାକୁ ସ୍ଥିର କରିଛନ୍ତି ।

ଦିଲ୍ଲୀର ଦରିୟାଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ଗୁରୁ ତେଗ୍‌ବାହାଦୁର ହସ୍ପିଟାଲ୍‌ ଏବଂ ଘରୋଇ ଭେଙ୍କଟେଶ୍ୱର ହସ୍ପିଟାଲ୍‌ ଭଳି ତିନିଟି ସ୍ଥାନରେ ଏହି ଅଭିଯାନ ଚାଲିବ । ପ୍ରତ୍ୟେକ ସ୍ଥାନରେ ୨୫ଜଣ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିବେ । କେମିତି ପଞ୍ଜିକରଣ କରାଯିବ, ଟିକା କିଭଳି ଦିଆଯିବ ଏବଂ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଉପୁଜେ, ସେଥିପ୍ରତି କିଭଳି ଦୃଷ୍ଟି ଦିଆଯିବ ଆଦି ପ୍ରସଙ୍ଗ ସେମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯିବ ।

ପ୍ରତ୍ୟେକ ସ୍ଥାନରେ ତିନୋଟି ଲେଖାଏଁ ପ୍ରକୋଷ୍ଠ ରହିବ । ଗୋଟିଏ ପ୍ରତୀକ୍ଷାଳୟ, ଗୋଟିଏ ଟିକାଦାନ କୋଠରି ଏବଂ ଅନ୍ୟଟି ପର୍ଯ୍ୟବେକ୍ଷଣ ପ୍ରକୋଷ୍ଠ। ସେଠାରେ ପ୍ରତି ଟିମ୍‌ରେ ରହିବେ ୪ଜଣ ବ୍ୟକ୍ତି । ଜଣେ କାଗଜପତ୍ର ଯାଞ୍ଚ କରିବେ, ଜଣେ ହିତାଧିକାରୀମାନଙ୍କ ପଞ୍ଜିକରଣ ଯାଞ୍ଚ କରିବେ, ଜଣେ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ପର୍ଯ୍ୟବେକ୍ଷଣ କରିବେ ଏବଂ ଅନ୍ୟଜଣକ ଜନଗହଳି ନିୟନ୍ତ୍ରଣ କରିବେ ।

Show More
Back to top button