ସତ୍ୟଶିଖା (ଭୁବନେଶ୍ୱର) ୨୯/୦୧/୨୦୧୧ : ରାଷ୍ଟ୍ରାୟତ୍ତ ଆଲୁମିନିୟମ କଂପାନି ନାଲ୍କୋ ୭୪୯.୧୦ କୋଟି ଟଙ୍କାର ସେୟାର ବାଏବ୍ୟାକ୍ କରିବ । ଅର୍ଥାତ ନିଜ ସେୟାରକୁ କିଣିବାରେ କଂପାନି ଏହି ଅର୍ଥ ବିନିଯୋଗ କରିବ । ଏହି ଯୋଜନାକୁ କଂପାନି ବୋର୍ଡ ମଞ୍ଜୁରି ପ୍ରଦାନ କରିଛି । ଆଜି କେନ୍ଦ୍ର ଦିପମ୍ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବମ୍ବେ ଷ୍ଟକ ବଜାରକୁ ନାଲ୍କୋ ଦେଇଥିବା ତଥ୍ୟ ଅନୁଯାୟୀ କଂପାନି ୧୩.୦୨ କୋଟି ସଂଖ୍ୟକ ସେୟାର ବାଏବ୍ୟାକ୍ କରିବ । ପ୍ରତି ସେୟାରର ମୂଲ୍ୟ ୫୭ ଟଙ୍କା ୫୦ ପଇସା ରହିବ । ନଗଦ ରାଶିରେ ସେୟାର କାରବାର ହେବ । ସେୟାର ବାଏବ୍ୟାକ୍ ପାଇଁ ଯେଉଁ ନିୟମ ରହିଛି ସେହି ଆଧାରରେ ଏହାର ପ୍ରକ୍ରିୟା, ସମୟ ଏବଂ ଅନ୍ୟାନ୍ୟ ବିବରଣୀ ଉପଯୁକ୍ତ ସମୟରେ ଘୋଷଣା କରାଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଦିପମ୍ ବିଭାଗର ସଚିବ ସୂଚନା ଦେଇଛନ୍ତି ଯେ ୭୪୯ କୋଟି ଟଙ୍କା ମୂଲ୍ୟର ଇକ୍ବିଟି ସେୟାର ପୁନର୍ବାର କିଣିବା ଲାଗି ନାଲ୍କୋ ଚାହୁଛି । କଂପାନିର ପ୍ରତିଷ୍ଠାତା ଭାବେ ଭାରତ ସରକାର ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ । କଂପାନିରେ ସରକାରଙ୍କ ଇକ୍ବିଟି ଅଂଶଧନ ଯେଭଳି ୫୧% ରହିପାରିବ ତାହାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଏହି ସେୟାର ବାଏବ୍ୟାକ୍ ପ୍ରକ୍ରିୟାରେ ଭାଗ ନେବେ । ଷ୍ଟକ ବଜାରରେ ଗତ ସୋମବାର ନାଲ୍କୋର ସେୟାର ମୂଲ୍ୟ ୪୬ ଟଙ୍କା ୧୫ ପଇସା ଥିଲା । ସେହି ମୂଲ୍ୟ ଉପରେ ୨୪.୫% ପ୍ରିମିୟମ୍ ଦେଇ କଂପାନି ସେୟାର ବାଏବ୍ୟାକ୍ କରିବ । କଂପାନି ୬.୯୮% ଇକ୍ବିଟି ସେୟାରକୁ ପୁନର୍ବାର କିଣିବ । ଇକ୍ବିଟି ଅଂଶଧନ କିଣିବା ଲାଗି ଅଂଶଧନକାରୀମାନଙ୍କ ଯୋଗ୍ୟତାର ମାନଦଣ୍ଡ ବିଷୟରେ କଂପାନି ଫେବ୍ରୁଆରି ୮ ତାରିଖରେ ଅବଗତ କରିବ ।
କରୋନା ସଂକ୍ରମଣ ପରବର୍ତୀ ସମୟରେ ରାଜସ୍ବ ଆୟ ସଙ୍କୁଚିତ ହୋଇଥିବାରୁ ପୁଞ୍ଜିପ୍ରତ୍ୟାହାର ଜରିଆରେ ଅଧିକ ପାଣ୍ଠି ଯୋଗାଡ଼ କରିବା ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଏଭଳି ଏକ ସମୟରେ ନାଲ୍କୋର ସେୟାର ବାଏବ୍ୟାକ୍ ଯୋଜନା ଅନେକ ଗୁରୁତ୍ବ ରଖୁଛି । ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ୨.୧ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥି ମଧ୍ୟରୁ ସରକାରୀ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ଥିବା ଅଂଶଧନ ବିକ୍ରି କରି ୯୦ ହଜାର କୋଟି ଟଙ୍କା ଓ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗର ଅଂଶଧନ ବିକିି ବଳକା ୧.୨ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ସରକାର ଚାହୁଛନ୍ତି । ପାଣ୍ଠି ଅଭାବ ସମୟରେ କେନ୍ଦ୍ର ସରକାର ଚିହ୍ନଟ କରିଥିବା ପ୍ରମୁଖ ପିଏସ୍ୟୁ ସଂସ୍ଥାଗୁଡ଼ିକୁ ଅଧିକ ଲାଭାଂଶ ଦେବା ପାଇଁ କିମ୍ବା ସେୟାର ବାଏବ୍ୟାକ୍ କରିବାକୁ କହିଥାନ୍ତି । ଏହା ଜରିଆରେ ପାଣ୍ଠିର ନିଅଣ୍ଟକୁ ଭରଣା କରିବାକୁ ପ୍ରୟାସ କରାଯାଏ ।