ସତ୍ୟଶିକ୍ଷା ୨୬.୦୯.୨୦୨୦ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବିକାଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି । ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି । ଏହା ବିରୋଧରେ ନାଗା ସାଧୁମାନେ ମେଳି ବାନ୍ଧିଛନ୍ତି । ବିଭିନ୍ନ ପ୍ରାନ୍ତରୁ ନାଗା ସାଧୁମାନେ ପୁରୀଠାରେ ଏକାଠି ହେବା ସହ ପ୍ରଶାସନର ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।
ପୁରୀରେ ପହଞ୍ଚିଥିବା ଦିଗମ୍ବର ଜନକ ନାଗା ସାଧୁ ବିଶ୍ୱମ୍ବର ପୁରୀ କହିଛନ୍ତି, ‘ ଲଙ୍ଗୁଳି ମଠରେ ବସି ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ଆଜି ସେହି ମଠକୁ ଭାଙ୍ଗି ଦିଆଯାଇଛି । ଏହି ମଠ ଆମର । ଏହି ମଠରୁ ଆମେ ଗୁରୁଦୀକ୍ଷା ନେଉଛୁ । ଭାରତର ବିଭିନ୍ନ ପ୍ରାନ୍ତରେ ୧ ହଜାରରୁ ଅଧିକ ନାଗା ସାଧୁ ଆଶ୍ରମ କରି ରହୁଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବି ନାଗା ସାଧୁମାନେ ମଠ କରି ରହୁଥିଲେ । କିନ୍ତୁ ପ୍ରଶାସନ ଆମ ମଠକୁ ଭାଙ୍ଗି ଦେଇଛନ୍ତି । ଆମ ଧୂନା ଗାଦିକୁ ବି ଦଖଲରେ ରଖିଛନ୍ତି । ଆମକୁ ଧୂନା ପୂଜା କରିବାକୁ ଦିଆଯାଉନି ।