ନ୍ୟୁଜ୍ରାଜନୀତିରାଜ୍ୟ

ସନ୍ନ୍ୟାସ ନେବେ ନବ !

ସତ୍ୟଶିଖା( ଭୁବନେଶ୍ୱର )୧୧.୧୦.୨୦୨୨: ‘ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସନ୍ନ୍ୟାସ ନେବେ’ । ଏ କଥା ଶୁଣିଲା ବେଳକୁ ବେଶ ଆଶ୍ଚର୍ଯ୍ୟ ଲାଗୁଛି । ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀ ଏବେ ସେ ଅଛନ୍ତି । ହଠାତ୍ ସେ ଏଭଳି ପଦକ୍ଷେପ କାହିଁକି ନେବାକୁ ଯାଉଛନ୍ତି ତାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା । ଅବଶ୍ୟ ତାଙ୍କର ଏହି ସନ୍ନ୍ୟାସ ବିଷୟରେ କୈାଣସି ସୋସିଆଲ ମିଡିଆରେ କିମ୍ବା କୈାଣସି ଖବରକାଗଜ କିମ୍ବା ନ୍ୟୁଜ ଚ୍ୟାନେଲରେ ପ୍ରକାଶ ପାଇ ନାହିଁ । ଏହି କଥାର ସୂଚନା ଅନ୍ୟ କେହି ନୁହଁ ଖୋଦ ବିଜେଡିର ମୁଖପତ୍ର ପକ୍ଷରୁ ଏହି ସୂଚନା ଜନସାଧାରଣଙ୍କୁ ଦିଆଯାଇଛି । ନବ ରଖିଥିବା ମତକୁ ଆଧାର କରି ବିଜେଡି ମୁଖପତ୍ର ଏକଥା କହିଛି । ପୂର୍ବରୁ ବିଜେଡି ମୁଖପତ୍ରରେ ଅର୍ଥାତ ରବିବାରର ସ୍ୱତନ୍ତ୍ର ପୃଷ୍ଟାରେ ନବଙ୍କ ବିଷୟରେ ଅତ୍ୟନ୍ତ ସାଂଘାତିକ ଖବର ପ୍ରକାଶ କରାଯାଇଥିଲା । ତା ପରେ ପରେ ଏ ଖବର ପ୍ରକାଶ କରାଯାଇଛି । ମଙ୍ଗଳବାର ଦିନ ସକାଳ ଖବର କାଗଜରେ ଏ କଥା ଉଲ୍ଲେଖ ରହିଛି । ନବ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇ ତାଙ୍କ ଝିଅକୁ ଆଗକୁ ଆଣିବେ ବୋଲି ସୂଚନା ଦିଆଯାଇଛି ।


ନବଙ୍କ ଝିଅ ରାଜନୀତିକୁ ଆସିବେ ବୋଲି ଅନେକ ଦିନରୁ ଚର୍ଚ୍ଚା ଜାରି ରହିଛି । ନବ ବିଭିନ୍ନ ରାଜନୈତିକ ଓ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ତାଙ୍କ ଝିଅକୁ ଆଗକୁ ଆଣିବାରେ ଲାଗିଛନ୍ତି । ସେ ମଧ୍ୟ ରାଜନୀତିକୁ ଆସିବା ପାଇଁ ପାଗ ବାନ୍ଧି ବସିଥିବା ସଭା ସମିତିରେ ସୂଚନା ମଧ୍ୟ ଦେଇ ଚାଲିଛନ୍ତି । ଅବଶ୍ୟ ବିଜେଡି ରାଜନୀତିରେ ଅନେକ ନେତା ଏବେ ପିଲା ମାନଙ୍କୁ ଆଗକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଯେଉଁ ମାନେ ସକ୍ରିୟ ରାଜନୀତିରେ ଅଛନ୍ତି ସେମାନଙ୍କର ଆଗକୁ ଆହୁରି କ୍ୟାରିୟର ଅଛି ସେଭଳି ନେତା ପିଲାଙ୍କୁ ଆଣିବା କ୍ୱଚିତ ଦେଖାଯାଉଛି । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଓ ପ୍ରଭାତ ତ୍ରୀପାଠି ବାଧ୍ୟ ବାଧକତାରେ ପୁଅକୁ ଆଗକୁ ଆଣିଛନ୍ତି । କିନ୍ତୁ ନବଙ୍କ ପାଇଁ ଏଭଳି ସ୍ଥିତି ନାହିଁ ଯେଉଁଥିରେ ସେ ପଛକୁ ହଟି ଝିଅକୁ ଆଗକୁ ଆଣିବେ । ଏହା ପଛରେ ଭିନ୍ନ କାରଣ ରହିଛି ବୋଲି ବହୁ ଆଲୋଚନା ସାଧାରଣରେ ଚାଲିଥିଲା । ଏବେ ଗତ ରବିବାର ସଂସ୍କରଣରେ ସକାଳର ସ୍ୱତନ୍ତ୍ର ପୃଷ୍ଠାରେ ନବଙ୍କ ସମ୍ପର୍କରେ ଯେଉଁଭଳି ଭାବରେ ରୋଚକ ତଥ୍ୟ ବିଜେଡି ଜନସାଧାରଣଙ୍କୁ ଦେଲା ସେଥିରେ ରାଜନୀତି ଜୋର ଧରିଲା । ଏବେ ନବ ସନ୍ୟାସ ନେବେ ଖବର ପ୍ରକାଶ କରିବା ପରେ କଥା ଅଧିକ ସ୍ପଷ୍ଟ ହେଲା । ବିଜେଡି ସୁପ୍ରିମୋ ନବଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଏକଥା ବୋଧ ହୁଏ ନବ ଭଲ ଭାବରେ ବୁଝି ସାରିଲେଣି । ଯେହେତୁ ସେତେବେଳେ ତାଙ୍କୁ କଂଗ୍ରେସରୁ ଆଣାଯାଇଥିଲା । ସେଥିପାଇଁ ବାଧ୍ୟ ବାଧ୍ୟକତାରେ ଦଳ ତାଙ୍କୁ ମନ୍ତ୍ରୀ କରିଥିଲା । ଦଳ ସୁପ୍ରିମୋ ଭାବିଥିଲେ ନବଙ୍କର ଯାହା କାର୍ଯ୍ୟକଳାପ ରହିଛି ସେଥିରେ ସୁଧାର ଆସିବ ଓ ବିଜେଡି ପାଇଁ ସେ ବଡ ‘ଆସେଟ’ ହୋଇ ରହିବେ । ହେଲେ ମନ୍ତ୍ରୀ ହେବା ପରେ ତାଙ୍କ କାର୍ଯ୍ୟକଳାପ ଭିନ୍ନ ମୋଡ ନେଇଗଲା । ଯାହା ମୁଖିଆ ଚାହୁଁ ନାହାନ୍ତି । ନିକଟରେ ସବୁ ମନ୍ତ୍ରୀ ମାନଙ୍କର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ଏଥିରେ ନବଙ୍କ ବ୍ୟାଙ୍କ ବାଲାନ୍ସ ଗାଡି ଘୋଡା ସମ୍ପତ୍ତି ତାଲିକା ଓ କାରବାରକୁ ଦେଖି ବହୁ ଚର୍ଚ୍ଚା ଚାଲିଛି । ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା କେବଳ ରାଜ୍ୟ ଭିତରେ ନୁହେଁ କି ରାଜ୍ୟ ବାହାରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସାରିତ ହୋଇଛି । ନବୀନ ଜଣେ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ଓ ଦାଗ ଲଗାଉ ନଥିବା ନେତା । କୈାଣସି ପ୍ରକାର ଦୁର୍ନୀତି କଥା ଆସିଲେ ତାହାକୁ ସେ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ସେଥିପାଇଁ ଦେଶ ବିଦେଶରେ ତାଙ୍କର ବେଶ ସୁନାମ ରହିଛି । ବୋଧହୁଏ ନବଙ୍କ ଏହି ସମ୍ପତ୍ତି ତାଲିକା ଦେଖି ଦଳ ସୁପ୍ରିମୋ ଆଦୈା ସନ୍ତୁଷ୍ଟ ନୁହଁନ୍ତି ବୋଲି ଆଲୋଚନା ହେଉଛି । ତାଙ୍କର ବ୍ୟବସାୟ ଓ ଗାଡି ଘଟଣା ପଦାକୁ ଆସିଛି । କିନ୍ତୁ ପଛରେ ଆହୁରି ଅନେକ ରହସ୍ୟ ରହିଛି ଯାହା ଗୁଇନ୍ଦା ତଥ୍ୟର ସୂଚନା ସୁପ୍ରିମୋଙ୍କୁ ମିଳିଥିବା କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗକୁ ଯେଭଳି ଭାବରେ ଆଗକୁ ଆଗେଇ ନେବା କଥା ଓ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସାକାର ହୋଇପାରୁ ନାହିଁ । ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବାର କରୁଣ ଚିତ୍ର ପଦାକୁ ଆସିଛି । ଯାହାକୁ ଧରି ନିକଟରେ ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।
ଏସବୁକୁ ଭିତି କରି ରବିବାର ସଂସ୍କରଣରେ ନବଙ୍କ ବିରୁଦ୍ଧରେ ଦଳୀୟ କାଗଜରେ ଖବର ପ୍ରକାଶ ପାଇଲା । ନବଙ୍କ ଠିକାଦାର ପ୍ରୀତି ଜନସାଧାରଣଙ୍କ ପାଇଁ କାଳ ହେଉଛି । ଏକଥାର ସ୍ପଷ୍ଟ ସୂଚନା ଦିଆଯାଇଥିଲା । ଦଳ ମୁଖିଆଙ୍କ ବିନା ଅଗୋଚରରେ ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ଖବର ପ୍ରକାଶ ପାଇବ ନାହିଁ ବୋଲି ଅନେକ ମତ ଦେଉଛନ୍ତି । ଏଣୁ ନବଙ୍କ ଉପରେ ଦଳ ସନ୍ତୁଷ୍ଟ ନଥିବାର ସୂଚନା ଦିଆଯିବା ପରେ ଏବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ଖବର ପ୍ରକାଶ କରି ଘଟଣାକୁ ଅଧିକ ସ୍ପଷ୍ଟ କରାଯାଇଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଇଛନ୍ତି । ଅନ୍ୟ କୈାଣସି ଖବର କାଗଜରେ ଘଟଣା ପ୍ରକାଶ ପାଇଲେ ତାହାର ଗୁରୁତ୍ୱ ଯେତେ ରହିବ ନାହିଁ ଦଳୀୟ ମୁଖପତ୍ର ରେ ପ୍ରକାଶିତ ଖବରର ଢେର ଗୁରୁତ୍ୱ ବହନ କରିବ । ନବ ମନ୍ତ୍ରୀ ହେବା ପରଠାରୁ ଦୁର୍ନୀତିରୁ ଉର୍ଦ୍ଧରେ ଅଛନ୍ତି ଏବଂ ନବୀନଙ୍କ ସ୍ୱଚ୍ଛତା ଆଧାରରେ କାର୍ଯ୍ୟ କରୁଛନ୍ତି ଏ ବିଶ୍ୱାସ ସେ ଏପର୍ଯ୍ୟନ୍ତ ସୁପ୍ରିମୋଙ୍କୁ ଦେବାରେ ଫେଲ ମାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ନବଙ୍କ ଝିଅ ରାଜନୀତିକୁ ଆସିବେ ଓ ରାଜନୀତି କରିବେ ଏ ଖବର ଚାଲି ଆସିଥିଲା । କିନ୍ତୁ ନବ ଏଥିପାଇଁ ସନ୍ନ୍ୟାସନେବେ ତାହା କେହି ପ୍ରକାଶ କରି ନଥିଲେ କିମ୍ବା ତାହା ଭାବୁ ନଥିଲେ । ଏବେ ହଠାତ୍ ଦଳୀୟ କାଗଜରେ ନବଙ୍କ ସନ୍ନ୍ୟାସ ବିଷୟର ଖବର ଆସିବା ନିଶ୍ଚିତ ଭାବରେ ଚକିତ କରିଛି । ଦଳ ସୁପ୍ରିମୋ ଆଉ ନବଙ୍କୁ ଚାହୁଁ ନାହାନ୍ତି । ତାଙ୍କ ପ୍ରତି ଆଉ ପୂର୍ବର ବିଶ୍ୱାସ ମଧ୍ୟ ନାହିଁ । ଖାଲି କଂଗ୍ରେସରୁ ଆସିଛନ୍ତି ବୋଲି ହଠାତ ବିଦା କରିଦେଲେ ତାକୁ ନେଇ ବିରୋଧୀ ଭୁଲ ଭାବରେ ଚର୍ଚ୍ଚା କରିବେ ସେଥିନେଇ ନବଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖାଯାଇଥିବା କଥା କୁହାଯାଉଛି । ଏଣୁ ଏହି କଥାକୁ ଭାଙ୍ଗିବା ପାଇଁ ନବଙ୍କୁ ବାଦ ଦେଇ ତାଙ୍କ ଝିଅକୁ ଦଳକୁ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଖବର ପରେ ନବଙ୍କ ପ୍ରତି ବିପଦ ଘନୋଉଛି ବୋଲି ସ୍ପଷ୍ଟ ସୂଚନା ମିଳୁଛି ।

Show More
Back to top button