ଖେଳ

ହାପି ବାର୍ଥ ଡେ’ ‘ହିଟ୍‌ମ୍ୟାନ୍’

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଗୁରୁବାର ୩୩ ବର୍ଷରେ ପାଦ ଥାପିଛନ୍ତି। ୧୯୮୭ରେ ନାଗପୁରରେ ଜନ୍ମିତ ‘ହିଟମ୍ୟାନ୍’ ରୋହିତ୍ ଦୀର୍ଘ ୧୩ ବର୍ଷ ଧରି ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ସୂତ୍ରଧର ସାଜିଛନ୍ତି। ପ୍ରତିବର୍ଷ ରୋହିତ୍ ନିଜ ଜନ୍ମଦିନକୁ ଆଇପିଏଲ୍‌ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ମନାନ୍ତି। କିନ୍ତୁ ଚଳିତ ବର୍ଷ କରୋନାଭାଇରସ୍ ଯୋଗୁ ଆଇପିଏଲ୍ ସ୍ଥଗିତ ଥିବାରୁ ରୋହିତ୍ ନିଜ ଘରେ ପତ୍ନୀ ଓ ଝିଅ ସହ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ଆଇସିସି ଓ ବିସିସିଆଇ ଠାରୁ ଆରମ୍ଭ କରି ଅନେକେ କ୍ରିକେଟର୍ ରୋହିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରୋହିତ୍ ୨୦୦୭ରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କିନ୍ତୁ ୨୦୧୩ରେ ସେ ଦିନିକିଆରେ ଓପ୍ନର ଭାବେ ପଦୋନ୍ନତି ପାଇଥିଲେ। ଏହା ପରଠାରୁ ରୋହିତ୍ ନିୟମିତ ଭାବେ ଓପ୍ନର ଭୂମିକାକୁ ସୁଚାରୁରୂପେ ତୁଲାଇ ଆସୁଛନ୍ତି। ରୋହିତ୍ ଏକମାତ୍ର କ୍ରିକେଟର ଭାବେ ଦିନିକିଆରେ ତିନୋଟି ଦ୍ୱିଶତକ ଅର୍ଜନ କରିଛନ୍ତି। ଟି-୨୦ରେ ମଧ୍ୟ ତାଙ୍କ ବ୍ୟାଟରୁ ପ୍ରଚୁର ରନ୍ ବାହାରିଛି। କିନ୍ତୁ ଏହି ଛୋଟିଆ ଫର୍ମାଟରେ ସେ କ୍ୟାପଟେନ୍ ଭାବେ ବେଶ୍ ସଫଳତା ହାସଲ କରିଛନ୍ତି। ତାଙ୍କ କ୍ୟାପଟେନ୍ସିରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଚାରିଥର ଆଇପିଏଲ୍ ଟ୍ରଫି ଜିତିଛି।

ଅନ୍ତର୍ଜାତୀୟ ଦିନିକିଆରେ ରୋହିତଙ୍କ ନାଁରେ ସର୍ବାଧିକ ବ୍ୟକ୍ତିଗତ ରନର ବିଶ୍ୱ ରେକର୍ଡ ରହିଛି। ସେ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ମାରାଥନ୍ ଇନିଂସ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ମଧ୍ୟ ନିଜର ପ୍ରଥମ ଦୁଇ ଟେଷ୍ଟରେ ଲଗାତର ଶତକ ମାରି ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏହା ପରେ ତାଙ୍କ ପ୍ରଦର୍ଶନରେ ନିରନ୍ତରତା ଦେଖିବାକୁ ମିଳିନଥିଲା, ଯେଉଁ କାରଣରୁ ସେ ଟେଷ୍ଟ ଟିମର ନିୟମିତ ସଦସ୍ୟ ହୋଇପାରିନଥିଲେ। କିନ୍ତୁ ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କୁ ପ୍ରଥମଥର ଲାଗି ଟେଷ୍ଟରେ ଓପନ୍ କରିବାକୁ ସୁଯୋଗ ମିଳିଥିଲା ଏବଂ ସେ ଏହାର ଭରପୂର ଫାଇଦା ଉଠାଇଥିଲେ।

୨୦୧୯ ବିଶ୍ୱକପରେ ରେକର୍ଡ ୫ ଶତକ: ୨୦୧୯ରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ୍ ରୋହିତଙ୍କ ପାଇଁ ବହୁତ ସଫଳ ଥିଲା। ସେ ଏହି ବିଶ୍ୱକପରେ ୫ଟି ଶତକ ଅର୍ଜନ କରିଥିଲେ, ଯାହାକି କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଗୋଟିଏ ସଂସ୍କରଣରେ ଶତକ ମାରିବା ମାମଲାରେ ସର୍ବାଧିକ। ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୪ଟି ଶତକ ମାରି ବିଶ୍ୱ ରେକର୍ଡ କରିଥିଲେ, ଯାହାକୁ ୨୦୧୯ ବିଶ୍ୱକପରେ ରୋହିତ୍ ଭାଙ୍ଗିଥିଲେ। ୨୦୧୯ ବିଶ୍ୱକପରେ ରୋହିତ୍ ଦକ୍ଷିଣ ଆଫ୍ରିକା (୧୨୨), ପାକିସ୍ତାନ (୧୪୦), ଇଂଲଣ୍ଡ (୧୦୨), ବାଂଲାଦେଶ (୧୦୪) ଓ ଶ୍ରୀଲଙ୍କା (୧୦୩) ବିପକ୍ଷରେ ଶତକ ମାରିଥିଲେ।



[ad_2]

Show More
Back to top button