ଏମ୍‌ଏସ୍‌ଏମ୍‌ଇକୁ ୨୯୦ କୋଟି, ସୁଧ ରିହାତି ବାବଦରେ ୧୦୮ କୋଟି

ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : କରୋନା ମହାମାରୀ ଯୋଗୁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ସେ‌ମାନେ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ଏସବୁ ଉଦ୍ୟୋଗକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍‌ରେ ଉଦ୍ୟୋଗୀମାନଙ୍କୁ ସୁଧ ଛାଡ଼ଠାରୁ ଆରମ୍ଭ କରି ଅଧିକ ସବ୍‌ସିଡି, ଏସ୍‌ଜିଏସ୍‌ଟି ବାବଦ ଟିକସ ଭରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ବାର୍ଷିକ ରକ୍ଷଣାବେକ୍ଷଣ ଅର୍ଥ ଛାଡ଼ କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ବ୍ୟାପକ ବର୍ଗର ଉଦ୍ୟୋଗୀଙ୍କୁ ଲାଭ ପହଞ୍ଚାଇବା ହେଉଛି ଏହାର ଲକ୍ଷ୍ୟ । ବିଶେଷକରି ମହିଳା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଏମଏସଏମଇ ଉଦ୍ୟୋଗୀଙ୍କୁ ଏହାର ଲାଭ ଯେଭଳି ଅଧିକ ମିଳିବ ତାହାକୁ ଦୃଷ୍ଟିରେ ରଖି ପ୍ୟାକେଜ ପ୍ରସ୍ତୁତ ‌କରାଯାଇଛି । ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍‌ ଗ୍ୟାରେଣ୍ଟି ସ୍କିମ୍‌ (ଇସିଏଲ୍‌ଜିଏସ୍‌)ରେ ୧,୭୦,୦୦୦ ଏମଏସଏମଇ ୟୁନିଟ ଉପକୃତ ହେବେ । ସେମାନଙ୍କୁ ସୁଧ ରିହାତି ମିଳିବ । ଇସିଏଲଜିଏସ୍‌ ଅଧୀନରେ ଏମଏସଏମଇକୁ ଗୋଟିଏ ବର୍ଷର ମୋରାଟୋରିୟମ ସହିତ ସୁଧ ରିହାତି ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି ।

ଏଥିପାଇଁ ୧୦୮.୨୯ କୋଟି
ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଏମଏସଏମଇ ପରିଚାଳନା କରୁଥିବା ଯୋଗ୍ୟ ୪୦ ପ୍ରତିଶତ ମହିଳାଙ୍କୁ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମାଜର ଦୁର୍ବଳ ବର୍ଗର ବ୍ୟକ୍ତିଙ୍କୁ ଟପ୍‌-ଅପ୍‌ ସବ୍‌ସିଡି ବାବଦରେ ୫ ପ୍ରତିଶତ ପ୍ରଦାନ କରାଯିବ । ଏଥିପାଇଁ ସରକାର ୨୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ, ମହିଳା, ଦିବ୍ୟାଙ୍ଗ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କରୋନା ମହାମାରୀ ବେଳେ ଏହା ବିଶେଷ ସହାୟକ ହେବ ବୋଲି ଆଶା ରଖାଯାଇଛି ।

କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ଗୁଡ଼ିକୁ ୧୫ ପ୍ରତିଶତ ଟପ୍‌-ଅପ୍‌ ସବ୍‌ସିଡି ପ୍ରଦାନ କରାଯିବ । ଚଳିତ ଆର୍ଥିକ ବର୍ଷରେ ପାଖାପାଖି ୧୦୦୦ ୟୁନିଟ୍‌କୁ ଏହି ଯୋଜନାରେ ସାମିଲ କରାଯିବ । ଉକ୍ତ ଯୋଜନାରେ ଟପ୍‌ ଅପ୍‌ ସବସିଡି ବାବଦରେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ ।

ଏଥିସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସହାୟତା ପ୍ୟାକେଜ (ସିଏପି)ରେ ନାନୋ ଓ ଅଣୁ ୟୁନିଟ୍‌ ଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ । ସଂପ୍ରତି ମହିଳା ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ୧୦୦ କୋଟି ଟଙ୍କା ଉପଲବ୍ଧ ହେବ । ରାଜ୍ୟ କ୍ୟାବିନଟେରେ ନିକଟରେ ଶିଳ୍ପ ନୀତି ପ୍ରସ୍ତାବରେ ସଂଶୋଧନ ଅଣାଯାଇଛି । ୨୦୧୭ ଜୁଲାଇ ୧ ତାରିଖରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସ୍‌ଟି ବାବଦରେ ଅର୍ଥରାଶି ପାଇବାକୁ ଯୋଗ୍ୟ ହେବେ । ଏହି ଯୋଜନାରେ ୩୮.୩୦ କୋଟି ଟଙ୍କା ପ୍ରଦାନ କରାଯିବ । ଏଥିସହିତ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଏମଏସଏମଇ ଗୁଡ଼ିକ ଇଡକୋକୁ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ବାବଦରେ ପ୍ରଦାନ କରୁଥିବା ଅର୍ଥକୁ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୫୦୦୦ ଏମଏସଏମଇ ପାଇଁ ଏ ବାବଦରେ ଇ‌ଡକୋକୁ ୫.୮୩ କୋଟି ଟଙ୍କା ବହନ କରିବାକୁ ‌ପଡ଼ିବ ।

Exit mobile version