

ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : କରୋନା ମହାମାରୀ ଯୋଗୁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ସେମାନେ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ଏସବୁ ଉଦ୍ୟୋଗକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ରେ ଉଦ୍ୟୋଗୀମାନଙ୍କୁ ସୁଧ ଛାଡ଼ଠାରୁ ଆରମ୍ଭ କରି ଅଧିକ ସବ୍ସିଡି, ଏସ୍ଜିଏସ୍ଟି ବାବଦ ଟିକସ ଭରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ବାର୍ଷିକ ରକ୍ଷଣାବେକ୍ଷଣ ଅର୍ଥ ଛାଡ଼ କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ବ୍ୟାପକ ବର୍ଗର ଉଦ୍ୟୋଗୀଙ୍କୁ ଲାଭ ପହଞ୍ଚାଇବା ହେଉଛି ଏହାର ଲକ୍ଷ୍ୟ । ବିଶେଷକରି ମହିଳା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଏମଏସଏମଇ ଉଦ୍ୟୋଗୀଙ୍କୁ ଏହାର ଲାଭ ଯେଭଳି ଅଧିକ ମିଳିବ ତାହାକୁ ଦୃଷ୍ଟିରେ ରଖି ପ୍ୟାକେଜ ପ୍ରସ୍ତୁତ କରାଯାଇଛି । ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲ୍ଜିଏସ୍)ରେ ୧,୭୦,୦୦୦ ଏମଏସଏମଇ ୟୁନିଟ ଉପକୃତ ହେବେ । ସେମାନଙ୍କୁ ସୁଧ ରିହାତି ମିଳିବ । ଇସିଏଲଜିଏସ୍ ଅଧୀନରେ ଏମଏସଏମଇକୁ ଗୋଟିଏ ବର୍ଷର ମୋରାଟୋରିୟମ ସହିତ ସୁଧ ରିହାତି ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି ।
ଏଥିପାଇଁ ୧୦୮.୨୯ କୋଟି
ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଏମଏସଏମଇ ପରିଚାଳନା କରୁଥିବା ଯୋଗ୍ୟ ୪୦ ପ୍ରତିଶତ ମହିଳାଙ୍କୁ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି) ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମାଜର ଦୁର୍ବଳ ବର୍ଗର ବ୍ୟକ୍ତିଙ୍କୁ ଟପ୍-ଅପ୍ ସବ୍ସିଡି ବାବଦରେ ୫ ପ୍ରତିଶତ ପ୍ରଦାନ କରାଯିବ । ଏଥିପାଇଁ ସରକାର ୨୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ, ମହିଳା, ଦିବ୍ୟାଙ୍ଗ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କରୋନା ମହାମାରୀ ବେଳେ ଏହା ବିଶେଷ ସହାୟକ ହେବ ବୋଲି ଆଶା ରଖାଯାଇଛି ।