ସତ୍ୟଶିଖା (ଭୁବନେଶ୍ୱର) ୨୮/୧୧/୨୦୨୦ : ବିଧାନସଭା ସମ୍ମୁଖରେ ପୁଣି ୨ ଜଣଙ୍କର ଆତ୍ମାହୁତି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ୨୦୧୯ ଜୁଲାଇରେ ଅମ୍ରୁତ ଦାସ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ତାଙ୍କ ଭାଇ ଓ ମା’ ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧୨ଟା ସମୟରେ ମୃତକଙ୍କ ଭାଇ ସୁବ୍ରତ ଦାସ ଓ ତାଙ୍କ ମା’ ସୁଲୋଚନା ଦାସ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀ ତାଙ୍କୁ କାବୁ କରି ନେଇଥିଲେ । ଏମାନଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ବୋଲି ଜଣାପଡ଼ିଛି ।
ମାଆ ପୁଅ ଦୁହେଁ ମିଶି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବାର ଅଭାବନୀୟ ଦୃଶ୍ୟ ଆଜି ମଧ୍ୟାହ୍ନରେ ଦେଖିବାକୁ ମିଳିଛି । ଏହି ମାଆପୁଅଙ୍କୁ ପୁଲିସ୍ ଇନ୍ଦିରା ଗାନ୍ଧୀ ପାର୍କ ନିକଟରୁ ଉଦ୍ଧାର କରିଛି । ଗତ ବର୍ଷ ହୋଇଥିବା ଅନ୍ୟ ଏକ ପୁଅର ହତ୍ୟାକାଣ୍ଡର ନ୍ୟାୟ ମିଳୁ ନଥିବା ଅଭିଯୋଗ ଆଣି ମହିଳା ଜଣକ ଏପରି ପ୍ରତିବାଦ କରିଥିବା ଜାଣିବାକୁ ମିିଳିଛି । ଅମ୍ରୁତ ଦାସଙ୍କ ମୃତ୍ୟୁ ଘଟଣାରେ ପୁଲିସ ନିକଟରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇ ଥିଲେ ହେଁ ତାହା ଗ୍ରହଣ କରାଯାଇ ନଥିଲା । ପରେ ପରିବାର ଅଦାଲତର ଦ୍ବାରସ୍ଥ ହେବା ପରେ ହତ୍ୟା ମାମଲା ରୁଜୁ .ହୋଇଥିଲା । ମାତ୍ର ପୁଲିସ ଏହାର ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ପରିବାର ।