ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ଧରାପୃଷ୍ଠରେ ବିରାଜିବେ ଧନର ଦେବୀ ମା’ ଗଜଲକ୍ଷ୍ମୀ । ଭକ୍ତଙ୍କ ଝୋଲିରେ ଅଜାଡି ଦେବେ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟରେ ଭଣ୍ଡାର। କିନ୍ତୁ ଦୁର୍ଗାପୂଜା ଭଳି ଗଜଲକ୍ଷ୍ମୀ ପୂଜା ବି ହେବ ବିନା ଭକ୍ତରେ । ଏଥିପାଇଁ କୌଣସି ପୂଜା ମଣ୍ଡପରେ ନାହିଁ ସ୍ୱତନ୍ତ୍ର ଆୟୋଜନ । କେଉଁଠି ତୋରଣ ଠିଆ ହୋଇନି କି ଆଲୋକମାଳରେ ରାସ୍ତା ସୁସଜ୍ଜିତ ହୋଇନି । ସବୁଠି କରୋନା କଟକଣା । ସାଦାସିଧାରେ କେବଳ ବିଧି ଅନୁସାରେ ମା’ଙ୍କୁ ଆବାହନ କରାଯିବ। କରୋନାର ପ୍ରକୋପ ଏମିତି ରହିଛି ଯେ ବର୍ଷ ବର୍ଷର ପରମ୍ପରା ଏବର୍ଷ ଫିକା ହୋଇଛି। ପାର୍ବଣର ମାହୋଲ କେଉଁଠି ନାହିଁ। ଦୁର୍ଗାପୂଜା ଭଳି ଗଜଲକ୍ଷ୍ମୀ ପୂଜା ଫିକା ପଡ଼ିବ । ଭକ୍ତମାନଙ୍କୁ ମା’ଙ୍କ ଦର୍ଶନ ପାଇଁ ବାରଣ ହୋଇଛି । ତଥାପି ମା’ଙ୍କୁ ଟିକିଏ ଦର୍ଶନ କରିବାକୁ ଭକ୍ତଙ୍କ ମନ ବ୍ୟାକୁଳ । ଏଥର ମା’ ଧନଦାତ୍ରୀଙ୍କ ପାଖରେ କେହି ଆଉ ଧନର ପ୍ରାର୍ଥନା କରିବେନି। ସମସ୍ତଙ୍କର ଗୋଟିଏ ପ୍ରାର୍ଥନା ସଂସାରରୁ ଦୂରେଇ ଯାଉ କରୋନା ମହାମାରୀ ।ଆଜି ଅପରାହ୍ନ ୪ଟାରୁ ମା’ଙ୍କ ପୂଜା ବିଧି ଆରମ୍ଭ ହେବ ।ଆଜିଠୁ ସବୁ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରାଯିବ । ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏଥିପାଇଁ ୪ ଫୁଟ ଉଚ୍ଚର ମୂର୍ତ୍ତି କରାଯାଇଛି । ମାତ୍ର ୭ଜଣରେ ମା’ଙ୍କ ପୂଜା କରାଯିବ । ଆଜି ଅପରାହ୍ନ ୪ଟାରୁ ମା’ଙ୍କ ପୂଜା ବିଧି ଆରମ୍ଭ ହେବ । ଏହା ପରେ ଚକ୍ଷୁଦାନ କରାଯାଇ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରାଯିବ । ଦହିଭାତ, ଡାଲ୍ମା, କଦଳୀ ଭଜା, ମୂଳା ଭଜା, ଶାଗ ଭଜା, କ୍ଷୀରି ଭଳି ବ୍ୟଞ୍ଜନ ତିଆରି କରାଯାଇ ଭୋଗ କରାଯିବ । ରବିବାର ଅର୍ଥାତ୍ ୧ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । କୂଆଖାଇ ନଦୀରେ ମା’ଙ୍କ ବିସର୍ଜନ କରାଯିବ ବୋଲି କମିଟିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି । ସବୁବର୍ଷ ଗଜଲକ୍ଷ୍ମୀ ପୂଜାରେ ମଣ୍ଡପ ପକ୍ଷରୁ ସାତ ଦିନ ଯାଏଁ ପ୍ରବଚନ କରାଯାଏ । କିନ୍ତୁ ଏଥର କରୋନା କଟକଣା ପାଇଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି ।
ସେହିପରି ୟୁନିଟ୍-୯ ବାୟାବାବା ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ମା’ ପଦ୍ମାଳୟାଙ୍କୁ ଆବାହାନ କରାଯିବ। କରୋନା କଟକଣା ପାଇଁ ବିଶେଷ ଆୟୋଜନ କରାଯାଇଛି। ଏଥିପାଇଁ ମାଙ୍କ ୪ ଫୁଟ ଉଚ୍ଚତର ମୂର୍ତ୍ତି କରାଯାଇଥିବା ବେଳେ ମାତ୍ର ୭ଜଣ କର୍ମକର୍ତ୍ତା ମାଙ୍କୁ ମଣ୍ଡପରେ ପୂଜା କରିବେ। ଆଜି ଅପରାହ୍ନ ୪ଟାରୁ ମା’ଙ୍କ ପୂଜା ବିଧି ଆରମ୍ଭ ହେବ। ଏଥି ସହିତ ପ୍ରତି ବର୍ଷ ଭଳି ଏବର୍ଷ ସ୍ବତନ୍ତ୍ର ଭୋଗର ଆୟୋଜନ କରାଯାଇଛି। ମୀନାବଜାର ପଡ଼ିବନି କି କିଛି ସାଜ୍ଜସଜା ହେବନି। ପୂଜା ବଜେଟ୍ ୭୦ ହଜାର ରହିଛି ବୋଲି ସଭାପତି ବିରଞ୍ଚିନାରାୟଣ ମହାପତ୍ର କହିଛନ୍ତି। ବାପୁଜୀ ନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ଆଜିଠୁ ମା’ ଧନଦାତ୍ରୀଙ୍କ ପୂଜା କରାଯିବ । କରୋନା ପାଇଁ ବିଶେଷ ଆୟୋଜନ କରାଯାଉନି । ମା’ଙ୍କୁ ରୂପାର ମୁକୁଟ, ପଦ୍ମହାରରେ ଭୂଷିତ କରାଯିବ । ପ୍ରଥମ ଦିନ ପୂଜା ଆରମ୍ଭ ହୋଇ ପୁଷ୍ପାଞ୍ଜଳି ଦିଆଯିବ । ସେହିଦିନ କ୍ଷୀରି ଭୋଗ ହେବ । ସବୁବର୍ଷ ଭଳି ଏବର୍ଷ ବି ମା’ଙ୍କ ପାଖରେ ଐଶ୍ୱର୍ଯ୍ୟ କଳସ ପୂଜା କରାଯିବ ।
ୟୁନିଟ୍-୯ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘର ସଦସ୍ୟ ଓ ଫ୍ରେଣ୍ଡ୍ସ କ୍ଲବ୍ରେ ମଧ୍ୟ ନିୟମ ଅନୁସାରେ ପୂଜା ହେବ । ଚନ୍ଦ୍ରଶେଖରପୁର ଫେଜ୍-୧ ହାଉସିଂବୋର୍ଡ କଲୋନୀରେ ପୂଜା ଅନୁଷ୍ଠିତ ହେବ । ସବୁ ମଣ୍ଡପ ଭଳି ଏଠାରେ ମଧ୍ୟ ୪ ଫୁଟ ଉଚ୍ଚର ମୂର୍ତ୍ତି ତିଆରି ହୋଇଛି । ଏବର୍ଷ ପୂଜା ୩୦ ବର୍ଷରେ ପହଞ୍ଚିଛି । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପୂଜା କରାଯିବ । ମୀନାବଜାର ପଡ଼ିବନି କି କିଛି ସାଜ୍ଜସଜା ହେବନି । ପୂଜା ବଜେଟ୍ ୫୦ ହଜାର ରହିଛି ବୋଲି ସମ୍ପାଦକ ଶିବ ପ୍ରସାଦ ମହାନ୍ତି କହିଛନ୍ତି ।ଭିଏସ୍ଏସ୍ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଆସନ୍ତାକାଲିଠୁ ଧନଦାତ୍ରୀଙ୍କୁ ପୂଜା କରାଯିବ । ଦୁଇଦିନ ପୂଜା କରାଯାଇ ରବିବାର ମା’ଙ୍କୁ ବିସର୍ଜନ କରାଯିବ । ଭଜନ କୀର୍ତ୍ତନ କି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି ବୋଲି କହିଛନ୍ତି ସମ୍ପାଦକ ଶୀତଳ ମହାନ୍ତି । ବିଜେବି ନଗର ଯୁବ ପ୍ରତିଭା କ୍ଲବ୍ରେ ମଧ୍ୟ ମା’ଙ୍କ ପୂଜା ଅନୁଷ୍ଠିତ ହେବ ।