ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ୍ l


ସତ୍ୟଶିଖା : ୨୧/୦୩/୨୦୨୫: ସାରା ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ସ୍କୁଲ ଖୋଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ।
ଆଜିଠୁ ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ରେ ଖୋଲିଲା ସ୍କୁଲ । ସାଢ଼େ ୧୦ଟାରେ ଚାଲିବ ପାଠପଢ଼ା । ୪ ଘଣ୍ଟା ଧରି ପିଲାମାନେ ସ୍କୁଲରେ ପାଠ ପଢ଼ିବେ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଗୁରୁବାର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ଏଥିସହ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଛନ୍ତି । ତୁରନ୍ତ ଏହି ନିର୍ଦ୍ଦେଶକୁ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଖରା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବିଭାଗ ପକ୍ଷରୁ କିଛି ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଯେପରିକି, ସବୁ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ହେବ । ସ୍କୁଲ ପରିସରରେ ଥିବା ପାଇପ୍ରେ ପାଣି ଆସୁଥିବ ।
ସେହିପରି ସ୍କୁଲରେ ଓଆରଏସ୍ ପ୍ୟାକେଟ୍ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଏହା ମିଳିବା ଦରକାର । ଖରା ସମୟରେ ସ୍କୁଲ ବାହାରେ କୌଣସି ଖେଳକୁଦ କିମ୍ବା ଅନ୍ୟାନ୍ୟ କାମ କରିବାକୁ ମନା କରାଯାଇଛି । ଛାତ୍ରଛାତ୍ରୀମାନେ ସାଙ୍ଗରେ ପାଣି ବୋତଲ ନେଇ ଯିବେ, ଏହା ସେମାନଙ୍କ ଅଭିଭାବକଙ୍କ ଦାୟିତ୍ୱ ରହିବ । ପ୍ରକାଶ ଥାଉକି, ଆସନ୍ତା ଏପ୍ରିଲ୍ ୨ରୁ ରାଜ୍ୟରେ ସ୍କୁଲ ସକାଳୁଆ ହେବ ବୋଲି ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ । ହେଲେ ଗୁରୁବାର ଉକ୍ତ ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ସମୟ ମଧ୍ୟ ସ୍ପଷ୍ଟ କରିଛନ୍ତି ସରକାର । ରାଜ୍ୟରେ ବଢିଥିବା ଖରାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଯେଉଁଥିରେ ଶୁକ୍ରବାର ସକାଳୁଆ ସ୍କୁଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।